ଦୀପାବଳିରେ ଘରକୁ ଯିବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼; ପୁଣେ ରେଳ ଷ୍ଟେସନରେ ଦଳାଚକଟାରେ ଚାଲିଗଲା ଜଣଙ୍କ ଜୀବନ, ଅନେକ ଯାତ୍ରୀ ଆହତ

ମହାରାଷ୍ଟ୍ରର ପୁଣେ ରେଲେଓ୍ଵ ଷ୍ଟେସନରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦୀପାବଳି ଅବସରରେ ଲୋକମାନେ ନିଜ ନିଜ ଘରକୁ ଯିବା ପାଇଁ ରେଲେଓ୍ଵ ଷ୍ଟେସନରେ ଭିଡ଼ ଜମାଇଥିଲେ। ଭିଡ଼ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଶନିବାର ରେଲେଓ୍ଵ ଷ୍ଟେସନରେ ହଠାତ୍‌ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଯାତ୍ରୀମାନେ ଟ୍ରେନରେ ଚଢ଼ିବା ସମୟରେ ହୋଇଥିଲା।

ସେପଟେ ଏହି ଦୁର୍ଘଟଣାକୁ ନେଇ ରେଳ ପ୍ରଶାସନର କହିବା ହେଲା, ମୃତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବରୁ ହିଁ ଖରାପ ଥିଲା। ତାଙ୍କୁ ଯକ୍ଷ୍ମା ରୋଗ ଥିଲା। ଖବର ଅନୁସାରେ, ଦୀପାବଳିରେ ଘରକୁ ଯିବା ପାଇଁ ପୁଣେ ରେଲେଓ୍ଵ ଷ୍ଟେସନରେ ପ୍ରବଳ ମାତ୍ରାରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଭିଡ଼କୁ ସମ୍ଭାଳିବା ପାଇଁ ରେଲେଓ୍ଵ ପୋଲିସର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ମୁତୟନ ଥିଲେ। ଶନିବାର ଓ୍ଵିକେଣ୍ଡ୍‌ ଏବଂ ଦୀପାବଳି ଉତ୍ସବ ଯୋଗୁ ଷ୍ଟେସନରେ ଆଶାଠାରୁ ଅଧିକ ଭିଡ଼ ରହିଥିଲା। ଏହି ସମୟରେ ଯାତ୍ରୀମାନେ ଟ୍ରେନରେ ତରବରିଆ ଭାବେ ଚଢ଼ିବାରୁ ଦଳାଚକଟା ପରିସ୍ଥିତି ଦେଖାଦେଇଥିଲା। ଦଳାଚକଟା ଯୋଗୁ ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଜଣ ଆହତ ହୋଇଥିଲେ।

ସେପଟେ ରେଳେଓ୍ଵର କହିବା ହେଲା, ଦଳାଚକଟାରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ତାଙ୍କୁ ଟିବି ରୋଗ ଥିଲା। ପ୍ରବଳ ଭିଡ଼ରେ ସେ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ, ଯାହାଫଳରେ ସେ ଜୋର୍‌ ଜୋର୍‌ରେ କାଶିବାକୁ ଲାଗିଥିଲେ ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ, କାର୍ଯ୍ୟାନୁଷ୍ଠାନରେ ଲାଗି ପଡ଼ିଛି। ରେଲଓ୍ଵର ରେକର୍ଡ ମୁତାବକ, ଉତ୍ସବ ସିଜନ ଯୋଗୁ ଜେନେରାଲ କୋଚ୍‌ରେ କ୍ଷମତାଠାରୁ ୪ ଗୁଣା ଏବଂ ସ୍ଲିପର କୋଚ୍‌ରେ କ୍ଷମତାଠାରୁ ୨ ଗୁଣା ଯାତ୍ରୀ ବସି ଯାତ୍ରା କରୁଛନ୍ତି। ସ୍ପେଶାଲ ଟ୍ରେନ୍‌ଗୁଡ଼ିକରେ ସିଟ୍‌ ରହୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।