ଆମେରିକାରେ ଭୟଙ୍କର ପ୍ଲେନ କ୍ରାସରେ ସମସ୍ତ ଯାତ୍ରୀ ମୃତ: ଡୋନାଲ୍ଡ ଟ୍ରମ୍ପଙ୍କ ସୂଚନା

ଆମେରିକାରେ ଭୟଙ୍କର ପ୍ଲେନ କ୍ରାସରେ ସମସ୍ତ ଯାତ୍ରୀ ମୃତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ଏହା ଦେଶ ପାଇଁ ଏକ ଯନ୍ତ୍ରଣାଦାୟକ ଏବଂ ଦୁଃଖଦ ଘଟଣା । ଗୋଟିଏ ରାଷ୍ଟ୍ର ଭାବେ ପ୍ରତିଟି ମୂଲ୍ୟବାନ ଜୀବନ ପାଇଁ ଦୁଃଖିତ ବୋଲି ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି, ପ୍ରଥମ ହେଉଛି ସୁରକ୍ଷା । ଏୟାର ସେଫ୍ଟି ଷ୍ଟାଣ୍ଡାର୍ଡ ହ୍ରାସ କରିଥିବାରୁ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ଓବାମା ଓ ବାଇଡେନଙ୍କୁ ଦୋଷ ଦେଇଛନ୍ତି । ବିମାନ ଚଳାଚଳ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି ।
ୱାଶିଂଟନରେ ମଝି ଆକାଶରେ ଯାତ୍ରୀବାହୀ ବିମାନକୁ ସେନା ହେଲିକପ୍ଟର ଧକ୍କା ଦେବା ଘଟଣାରେ ତଦନ୍ତ କରୁଛି ନ୍ୟାସନାଲ ଟ୍ରାନସପୋର୍ଟେସନ ସେଫ୍ଟି ବୋର୍ଡ-ଏନଟିଏସବି। ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ୩୦ ଦିନ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ । ବିମାନର ବ୍ଲାକ ବକ୍ସ ମିଳିଛି । ଯେଉଁଥିରୁ କିଛି ସୁରାକ ମିଳିପାରେ ବୋଲି ଅଧିକାରୀ କହିଛନ୍ତି । ରନୱେରେ ଲ୍ୟାଣ୍ଡିଂ କରିବାର କିଛି ସମୟ ପୂର୍ବରୁ ଯାତ୍ରୀବାହୀ ବିମାନ ସହ ପିଟି ହୋଇଥିଲା ସେନାର ବ୍ଲାକହକ୍ ହେଲିକପ୍ଟର। ମଝି ଆକାଶରେ ଆର୍ମୀ ହେଲିକପ୍ଟର ସହ ପିଟି ହେବା ପରେ ପୋଟୋମାକ ନଦୀ ଭିତରକୁ ଖସି ପଡ଼ିଥିଲା ଯାତ୍ରୀବାହୀ ବିମାନ ।
ଯାତ୍ରୀବାହୀ ବିମାନରେ ୬୦ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରିୟୁ ମେମ୍ବର ଥିବା ବେଳେ ସେନା ହେଲିକପ୍ଟରରେ ୩ଜଣ ରହିଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନଟି କାନସାସ୍ ୱିଚିଟା ରୁ ୱାସିଂଟନ ଡିସି ଆସୁଥିଲା। ବ୍ଲାକହକ ହେଲିକପ୍ଟରଟି ଭିର୍ଜିନିଆ ଫୋର୍ଟ ବେଲଭୋୟରରୁ ଆସୁଥିଲା । ଟ୍ରେନିଂ ଫ୍ଲାଇଟରେ ଥିଲା ବ୍ଲାକହକ୍ ହେଲିକପ୍ଟର। ଦୁର୍ଘଟଣା ପରେ ଉଭୟ ବିମାନ ଓ ହେଲିକପ୍ଟର ପୋଟମାକ ନଦୀ ଭିତରକୁ ଖସି ପଡ଼ିଥିବା ବେଳେ ଜୋରଦାର ରେସକ୍ୟୁ ଅପରେସନ କରାଯାଇଥିଲା ।
ଆହୁରି ପଢନ୍ତୁ : ମହାକୁମ୍ଭରେ ପୁଣି ଭୟାବହ ଅଗ୍ନିକାଣ୍ଡ, ସେକ୍ଟର-୨୨ରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ