ଆନ୍ଧ୍ର ହସ୍ପିଟାଲରେ ଡାକ୍ତରାଣୀଙ୍କୁ ଆକ୍ରମଣ ଘଟଣା: ସୁରକ୍ଷା ଦାବିରେ ଶହ ଶହ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ

କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ନିଆଁ ଜଳୁଥିବା ବେଳେ ଏପଟେ ଆନ୍ଧ୍ର ପ୍ରଦେଶର ଏକ ହସ୍ପିଟାଲରେ ଜଣେ ଜୁନିୟର ଲେଡି ଡାକ୍ତରଙ୍କୁ ଆକ୍ରମଣ କରାଯାଇଛି । ଘଟଣାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି ।
ଆନ୍ଧ୍ରର ତିରୁପତି ସ୍ଥିତ ଏକ ହସ୍ପିଟାଲରେ ଜୁନିୟର ଲେଡି ଡାକ୍ତରଙ୍କୁ ଜଣେ ରୋଗୀ ଆକ୍ରମଣ କରିଛନ୍ତି । ଏହି ଘଟଣା ହସ୍ପିଟାଲର ରୋଗୀ ୱାର୍ଡରେ ଘଟିଛି । ଏହି ସମୟରେ ୱାର୍ଡରେ ବହୁ ସଂଖ୍ୟକ ରୋଗୀ ଏବଂ ଡାକ୍ତର ଉପସ୍ଥିତ ଥିଲେ ।
ପୂରା ଘଟଣା ୱାର୍ଡରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ରୋଗୀଙ୍କ ଆକ୍ରମଣରେ ଜୁନିୟର ଡାକ୍ତର ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ସେଠାରେ ଉପସ୍ଥିତ ଅନ୍ୟ ଡାକ୍ତରମାନେ ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲେ ।
ହସ୍ପିଟାଲ ଦ୍ୱାରା ଜାରି ସିସିଟିଭି ଫୁଟେଜରେ ଅଭିଯୁକ୍ତ ରୋଗୀ ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଲେଡି ଡାକ୍ତର ରୋଗୀମାନଙ୍କୁ ଯାଞ୍ଚ କରିବା ପାଇଁ ୱାର୍ଡକୁ ଯାଇଥିଲେ । ଏହି ସମୟରେ ଜଣେ ରୋଗୀ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ । ସେ ମହିଳା ଡାକ୍ତରଙ୍କ ବେକକୁ ଧରି ପକାଇଥିଲେ । ଏହାପରେ ତାଙ୍କ କେଶକୁ ଧରି ଜୋରରେ ଭିଡ଼ି ଆଣି ଷ୍ଟ୍ରେଚରରେ ପକାଇ ଦେଇଥିଲେ ।
ରୋଗୀ ଜଣକ ଡାକ୍ତରଙ୍କୁ ଆକ୍ରମଣ କରୁଥିବାର ଦେଖି ୱାର୍ଡରେ ଉପସ୍ଥିତ ଡାକ୍ତରମାନେ ଦୌଡ଼ି ଆସି ରୋଗୀଙ୍କୁ କାବୁ କରିଥିଲେ ।
ଏହି ଘଟଣା ପରେ ହସ୍ପିଟାଲର ଡାକ୍ତରମାନେ ସେମାନଙ୍କ ସୁରକ୍ଷା ଦାବି କରି ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହିପରି କେତେକ ଘଟଣା ପରେ ସମସ୍ତ ମେଡିକାଲରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ APJUDA ଆହ୍ୱାନ କରିଛି । ବିକ୍ଷୋଭକାରୀ ଡାକ୍ତରମାନେ କହିଛନ୍ତି ଯେ ସେମାନେ ଡାକ୍ତରଖାନାରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।