ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି; ବିହାରର ଦ୍ୱିତୀୟ ବୃହତ୍ତମ ହସ୍ପିଟାଲ IGIMSରେ ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା
ପାଟନାରେ ଦ୍ୱିତୀୟ ବୃହତ୍ତମ ହସ୍ପିଟାଲ ଆଇଜିଆଇଏମ୍ଏସ୍ରେ ସରକାର ଏକ ବଡ଼ ସୁବିଧା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ଏଠାରେ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ରୋଗୀମାନଙ୍କ ପିଛା ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ବିହାରର ରାଜଧାନୀ ପାଟନାରେ ଦ୍ୱିତୀୟ ବୃହତ୍ତମ ହସ୍ପିଟାଲ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଆଇଜିଆଇଏମ୍ଏସ୍)ରେ ସରକାର ଏକ ବଡ଼ ସୁବିଧା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ଏଠାରେ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ରୋଗୀମାନଙ୍କ ପିଛା ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ଦୀର୍ଘ ଦିନରୁ ରୋଗୀମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବା ନେଇ ଦାବି ହୋଇ ଆସୁଥିଲା। ବର୍ତ୍ତମାନ ନୀତୀଶ ସରକାର ଏହାକୁ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଆଇଜିଆଇଏମ୍ଏସ୍ରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିହାର ସରକାର ବାର୍ଷିକ ୬୦ କୋଟି ଟଙ୍କା ଖର୍ଚ୍ଚ କରିବେ।
ଏହା କେବେ ଲାଗୁ ହେବ, ତାହା ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ବିହାରର କ୍ୟାବିନେଟ ସଚିବ ଡା. ସିଦ୍ଧାର୍ଥଙ୍କ କହିବା ଅନୁସାରେ, ଆଇଜିଆଇଏମ୍ଏସ୍ରେ ରୋଗୀମାନଙ୍କୁ ପଞ୍ଜୀକରଣ ଶୁଳ୍କ ବ୍ୟତୀତ କେବଳ ପ୍ରାଇଭେଟ୍ ଏବଂ ଡିଲକ୍ସ ରୁମ୍ ପାଇଁ ଦେୟ ଦେବାକୁ ପଡ଼ିବ। କିନ୍ତୁ ଔଷଧ, ଅପରେସନ୍ ଏବଂ ପରୀକ୍ଷା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।
ମାଗଣା ଚିକିତ୍ସା ସହିତ ଆଇଜିଆଇଏମ୍ଏସ୍ରେ ଶଯ୍ୟା ସଂଖ୍ୟା ମଧ୍ୟ ବଢ଼ାଯିବ। ବର୍ତ୍ତମାନ ଏଠାରେ ୧୧୭୦ ଶଯ୍ୟାର ବ୍ୟବସ୍ଥା ରହିଛି ଏବଂ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ବ୍ୟତୀତ ଆଉ ଏକ ୧୨୦୦ ଶଯ୍ୟା ବିଶିଷ୍ଟ କୋଠା ମଧ୍ୟ ନିର୍ମାଣ ଚାଲିଛି। ହସ୍ପିଟାଲ ପରିସରରେ କର୍କଟ ରୋଗର ରେଡିଓଲୋଜି ପରୀକ୍ଷା ସୁବିଧା ମଧ୍ୟ ଆରମ୍ଭ ହୋଇଛି।