ପାଟନା ସିରିଜ୍‌ ବ୍ଲାଷ୍ଟ୍‍: ମୋଦିଙ୍କ ର‍୍ୟାଲିରେ ବୋମା ବିସ୍ଫୋରଣ କରିଥିବା ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ, ୨ଙ୍କୁ ଆଜୀବନ

ବିହାର ପାଟନାର ଗାନ୍ଧୀ ମଇଦାନରେ ୨୭ ଅକ୍ଟୋବର, ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ର‍୍ୟାଲି ବେଳେ ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣ ମାମଲାର ଆଜି ଶୁଣାଣି ହୋଇଛି। ଏହି ମାମଲାରେ ଆଜି କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ଆଉ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ ଓ ୨ ଜଣଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡ ହୋଇଛି। ସେହିପରି ଆଉ ଜଣେ କଏଦୀଙ୍କୁ ୭ ବର୍ଷ ପାଇଁ ଦଣ୍ଡାଦେଶ ହୋଇଛି। ଏନ୍‌ଆଇଏ କୋର୍ଟରେ ସମସ୍ତ ଦୋଷୀଙ୍କୁ ଏହି ଦଣ୍ଡାଦେଶ ହୋଇଛି। ଏହା ପୂର୍ବରୁ ଏନ୍‌ଆଇଏ କୋର୍ଟରେ ୨୭ ଅକ୍ଟୋବରରେ ୧୦ ଜଣଙ୍କ ମଧ୍ୟରୁ ୯ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅନ୍ୟପଟେ ଆଉ ଜଣେ ଅଭିଯୁକ୍ତ ମହମ୍ମଦ ଫଖରୁଦ୍ଦିନ ଅହମ୍ମଦଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି।

୨୦୧୩ରେ ହୋଇଥିବା ଏହି ବୋମା ବିସ୍ଫୋରଣ ମାମଲାରେ ୮ ବର୍ଷ ପରେ ୨୭ ଅକ୍ଟୋବର ଦିନ ପାଟନାର ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ୯ ଆତଙ୍କବାଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଆଜି ୧ ନଭେମ୍ବରରେ ଦଣ୍ଡାଦେଶ ଶୁଣାଣି ହୋଇଛି। ୯ ଦୋଷୀଙ୍କ ମଧ୍ୟରୁ ଇମ୍‌ତିୟାଜ ଅନ୍‌ସାରୀ, ହାଇଦର ଅଲ୍ଲୀ, ନୋମାନ ଅନ୍‌ସାରୀ ଓ ମୁଜିବୁଲ୍ଲାହଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ସେହିପରି ଉମେର ସିଦ୍ଦିକି ଓ ଅଜହରୁଦ୍ଦିନଙ୍କୁ ଆଜୀବନ ଜେଲ ହୋଇଥିବା ବେଳେ ଅହମ୍ମଦ ଓ ଫିରୋଜଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ହୋଇଛି। ଇଫ୍‌ତିଖାରଙ୍କୁ ୭ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି।

ସୂଚନାଯୋଗ୍ୟ ଯେ ମୋଦିଙ୍କ ର‍୍ୟାଲି ବେଳେ ଗାନ୍ଧୀ ମଇଦାନ ଓ ପାଟନା ରେଲେଓ୍ଵ ଜଙ୍କସନ୍‌ ସିରିଜ୍‌ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଥିଲେ।

Leave A Reply

Your email address will not be published.