ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍ ମାଧ୍ୟମରେ ମିଳିଛି, ଯାହାକୁ ନେଇ ବିମାନବନ୍ଦର ପରିସରରେ ଭୟର ବାତାବରଣ ଖେଳିଯାଇଛି । ଘଟଣା ପରେ ବିମାନବନ୍ଦରର ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ସମ୍ପୃକ୍ତ ଏୟାରପୋର୍ଟ କର୍ତ୍ତୃପକ୍ଷ ।
ସୂଚନା ମୁତାବକ, ଆଜି ଦ୍ୱିପ୍ରହର ପ୍ରାୟ ସାଢ଼େ ୧ଟା ସମୟରେ ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା, ଯାହାପରେ ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି ।
ନିକଟରେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଏହିପରି ବୋମା ଧମକ ମିଳିଥିଲା । ଦିଲ୍ଲୀରୁ ଶ୍ରୀନଗର ଆସୁଥିବା ଭିସ୍ତାରା ବିମାନ (UK611)କୁ ବୋମାକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ଏହି ଧମକ ମିଳିବା ପରେ ଏୟାରପୋର୍ଟ ପ୍ରଶାସନ ସହ ସେଠାରେ ମୁତୟନ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଥିଲେ ।
ବିମାନଟି ମୋଟ ୧୭୭ ଜଣ ଯାତ୍ରୀଙ୍କୁ ଧରି ଦିଲ୍ଲୀରୁ ଶ୍ରୀନଗର ଆସୁଥିଲା । ଏହାରି ଭିତରେ ଶ୍ରୀନଗର ଏଟିସିକୁ ବିମାନରେ ବୋମା ଥିବା ନେଇ ଧମକ ମିଳିଥିଲା । ଘଟଣାକୁ ନେଇ ସିଆଇଏସ୍ଏଫ୍ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ହୋଇଯାଇଥିଲା । ଦ୍ୱିପ୍ରହର ୧୨ଟା ୧୦ରେ ବିମାନଟି ଶ୍ରୀନଗର ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଥିଲା ।