ଏ କି ପରିସ୍ଥିତି ହେଲା! ଆଫଗାନିସ୍ତାନରେ କ୍ଷୁଧା ଚିତ୍କାର… ନିଜ ପିଲା ଓ କିଡ୍‌ନୀ ବିକିବାକୁ ବାଧ୍ୟ ହେଉଛନ୍ତି ଲୋକେ

ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ସ୍ଥିତି କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଛି। କାବୁଲରେ ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଦୁଇ ଓଳି ରୁଟି ଖାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ନିକଟରେ ଆସିଥିବା ଏକ ରିପୋର୍ଟରେ ଦାବି କରାଯାଇଛି କି, ଆଫଗାନିସ୍ତାନରେ ଲୋକମାନେ ନିଜକୁ ବଞ୍ଚାଇ ରଖିବା ପାଇଁ ନିଜ ପିଲା ଏବଂ କିଡନୀ ବିକିବାକୁ ପଛାଉ ନାହାନ୍ତି। ପୂର୍ବରୁ ଅଫିମ ଭଳି ନିଶାଦ୍ରବ୍ୟର ଚୋରା ଚାଲାଣ ପାଇଁ ବଦନାମ ଆଫଗାନିସ୍ତାନ ଏବେ ମଣିଷ ଏବଂ ମାନବ ଅଙ୍ଗର ମଣ୍ଡି ଖୋଲିବାକୁ ଯାଉଛି।

ପିଲା ଏବଂ କିଡନୀ ବିକୁଛନ୍ତି ଲୋକେ

ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ବହୁ ସଂଖ୍ୟକ ଲୋକେ ନିଜ ଅଙ୍ଗ ବିକ୍ରି କରିଛନ୍ତି। ଏହା ପୂର୍ବରୁ ଦାରିଦ୍ର୍ୟ ଏବଂ ଅନାହାରରେ ଜୁଝି ହେଉଥିବା ଅନେକ ମାଆ, ବାପା ମଧ୍ୟ ବାଧ୍ୟ ହୋଇ ନିଜ ପିଲାମାନଙ୍କୁ ବିକ୍ରି କରି ଦେଇଛନ୍ତି। ୟୁରୋଲୋଜିଷ୍ଟ ଏବଂ କିଡନୀ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ନାସିର ଅହମଦ ଦାବି କରିଛନ୍ତି ଯେ ସେ ଗତ ୧୨ ମାସ ଭିତରେ ୮୫ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର କରିଛନ୍ତି।

୪.୨୫ ଲକ୍ଷରେ ବିକ୍ରି କରାଯାଉଛି ଗୋଟିଏ କିଡ୍‌ନୀ

ଆଫଗାନିସ୍ତାନରେ କିଡନୀ ପ୍ରତିରୋପଣ ପାଇଁ ଦାତା ଓ କ୍ରେତା ୬୦,୦୦୦୦ ଆଫଗାନୀରେ ଚୁକ୍ତି କରୁଛନ୍ତି। ଭାରତୀୟ ଟଙ୍କାରେ ଏହି ରାଶି ପାଖାପାଖି ୪ ଲକ୍ଷ ୨୫ ହଜାର ଟଙ୍କା ହେବ। ଏଠି କିଡ୍‌ନୀର ମୂଲ୍ୟ ବ୍ଲଡ୍‌ ଗ୍ରୁପ୍‌ ଆଧାରରେ ନିର୍ଣ୍ଣୟ ହେଉଛି। ସାଧାରଣତଃ କିଡ୍‌ନୀର ଦାମ୍‌ ଦେଢ଼ ଲକ୍ଷ ଟଙ୍କା ହୋଇଥାଏ। ତେବେ ଡାକ୍ତରଖାନା ଖର୍ଚ୍ଚ, ଔଷଧ ଏବଂ ଅପରେସନ ଫି ଅଲଗା ଭାବରେ ଚାର୍ଜ ଲାଗିଥାଏ।

ନିଜ ଜୀବନକୁ ବିପଦରେ ପକାଇ କିଡନୀ ବିକୁଛନ୍ତି ଲୋକେ

ସର୍ଜନ ଡାକ୍ତର ନାସିର ଅହମଦଙ୍କ ସହଯୋଗୀ ତଥା ଇଣ୍ଟରନାଲ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଅହମଦ ଶାକିବ କହିଛନ୍ତି ଯେ ଯେଉଁ ଲୋକମାନେ ନିଜ ଅଙ୍ଗ ବିକ୍ରି କରୁଛନ୍ତି, ସେମାନଙ୍କୁ ନିଜର ଜୀବନ ଚାଲିଯିବାର ମଧ୍ୟ ବିପଦ ରହିଛି। ଅଧିକାଂଶ ଲୋକ ଆର୍ଥିକ ସମସ୍ୟା ଯୋଗୁ ନିଜ କିଡନୀ ବିକ୍ରି କରୁଛନ୍ତି, ଯଦ୍ଦ୍ଵାରା କି, ସେମାନଙ୍କୁ କିଡନୀ ଅଭାବ କାରଣରୁ ଲମ୍ବା ସମୟ ଧରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଆଫଗାନିସ୍ତାନରେ କିଡନୀ ଦାନର ସଂସ୍କୃତି ସାଧାରଣ ନୁହେଁ। ଅଧିକାଂଶ କିଡନୀ ଦାତା ଆର୍ଥିକ ସମସ୍ୟାରେ ପୀଡିତ ଅଛନ୍ତି।

କାମ ବଦଳରେ ଗହମ ଦେଉଛି ତାଲିବାନ

ସଙ୍କଟକୁ କମ୍‌ କରିବା ପାଇଁ ତାଲିବାନ ଏକ ସପ୍ତାହ ପୂର୍ବରୁ ହିଁ କାମ ବଦଳରେ ଭୋଜନ ପ୍ରଦାନ କାର୍ଯ୍ୟକ୍ରମକୁ ଜୋର୍‌ସୋରରେ ଲାଗୁ କରି ଦେଇଛି। ଏମିତିରେ ଆଫଗାନିସ୍ତାନରେ ସାର୍ବଜନିକ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ଦରମା ଭାବରେ ଅନ୍ୟ ଦେଶରୁ ଦାନରେ ଆସିଥିବା ଗହମ ଦିଆଯାଉଛି। ମିଳିତ ଜାତିସଂଘ ବି ଆଫଗାନିସ୍ତାନକୁ ୩.୨ ବିଲିୟନ ପାଉଣ୍ଡ ସହାୟତା ପାଇଁ ଅପିଲ କରିଛି।

ବେରୋଜଗାର ଏବଂ ଦାରିଦ୍ର୍ୟତା ପରିସ୍ଥିତିକୁ ଆହୁରି ବିଗାଡ଼ୁଛି

ଦାରିଦ୍ର୍ୟତା ଏବଂ ବେରୋଜଗାର ଯୋଗୁ କାବୁଲ ରାସ୍ତାରେ ସାମଗ୍ରୀ ବିକ୍ରି କରୁଥିବା ଲୋକଙ୍କ ସଂଖ୍ୟା ବହୁତ ବଢ଼ି ଯାଇଛି। କାବୁଲରେ ଅଧିକାଂଶ ଲୋକଙ୍କ ପାଖରେ ଖାଦ୍ୟ କିଣିବା ପାଇଁ ଟଙ୍କାଟିଏ ନାହିଁ। ବିକ୍ରେତା ମାନେ କହିଛନ୍ତି ଯେ ସେମାନଙ୍କୁ ନିଜ ପରିବାର ପାଇଁ ରୁଟି ଖଣ୍ଡେ ଯୋଗାଡ଼ କରିବା କଷ୍ଟକର ହୋଇ ପଡ଼ୁଛି। କାହିଁକି ନା, କାହା ପାଖରେ ଚାକିରି ନାହିଁ, ତେଣୁ ସେମାନେ ରାସ୍ତାରେ ଜିନିଷ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ପୂରା ଆଫଗାନିସ୍ତାନରେ ଅବସ୍ଥା ଅତ୍ୟନ୍ତ ଖରାପ

ଏକ ୱେବସାଇଟ୍ ମୁତାବକ, ପୂରା ଆଫଗାନିସ୍ତାନରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ଯାଇଛି। ଲୋକମାନଙ୍କୁ ହସ୍ପିଟାଲରେ ଚିକିତ୍ସା ସୁଦ୍ଧା ମିଳୁ ନାହିଁ। କେବଳ ଏତିକି ନୁହେଁ, ଦୋକାନରେ ସାଧାରଣ ରୋଗ ପାଇଁ ଔଷଧ ବି ଉପଲବ୍ଧ ନାହିଁ। ବାହାର ଦେଶରୁ ଆମଦାନୀ ଠପ୍‌ ହେବା କାରଣରୁ ଖାଦ୍ୟପେୟ ଜିନିଷରେ ମଧ୍ୟ ଅଭାବ ଦେଖା ଦେଇଛି। ଦୁର୍ଗମ ଅଞ୍ଚଳରେ ଲୋକମାନେ ବସ୍ତୁ ବିନିମୟ ଭଳି ପୁରୁଣା ପଦ୍ଧତି ଆପଣାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.