ଲସ୍ ଏଞ୍ଜେଲେସର ଆଉ ଏକ ଜଙ୍ଗଲରେ ନିଆଁ, ଜଳୁଛି ୮୦୦୦ ଏକର ଅଞ୍ଚଳ, ୩୧ ହଜାର ରେସକ୍ୟୁ

ଆମେରିକାର ଲସ୍ ଏଞ୍ଜେଲେସରେ ପୁଣିଥରେ ନିଆଁ ଲାଗିଛି । ଉତ୍ତରର କାଷ୍ଟାଇକ ହ୍ରଦ ନିକଟରେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ହଜାର ହଜାର ଲୋକଙ୍କୁ ଘର ଖାଲି କରିବା ପାଇଁ ବାଧ୍ୟ କରିଛି । କିଛି ଘଣ୍ଟା ମଧ୍ୟରେ ଏହି ନିଆଁ ୮,୦୦୦ ଏକରରୁ ଅଧିକ ଅଞ୍ଚଳକୁ ପୋଡି ଦେଇଛି । ରିପୋର୍ଟ ଅନୁସାରେ, ମାତ୍ର କିଛି ସେକେଣ୍ଡରେ ୩୨ ଶହ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ନିଆଁ ବ୍ୟାପିଯାଉଛି । ଯେହେତୁ ପବନର ବେଗ ଅଧିକ ରହିଛି । ତେଣୁ ଖୁବକମ୍ ସମୟ ମଧ୍ୟରେ ନିଆଁ ଜଙ୍ଗଲରେ ବ୍ୟାପିଯାଉଛି । ଯାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ସାଜିଛି ।
କାଷ୍ଟାଇକ ହ୍ରଦ ପାଖରେ ଥିବା ଜଙ୍ଗଲରେ ଏହି ନିଆଁ ଲାଗିଛି । ଏହି କାରଣରୁ ୩୧ ହଜାର ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଲିଫର୍ଣ୍ଣିଆର ଦମକଳ ବାହିନୀ ଏବଂ ଏଞ୍ଜେଲେସ୍ ନ୍ୟାସନାଲ ଫରେଷ୍ଟର କର୍ମଚାରୀ ଏହି ଅଗ୍ନି ଉପରେ ନିୟନ୍ତ୍ରଣ ଆଣିବାର ଚେଷ୍ଟା କରୁଛି । ହେଲିକପ୍ଟର ଏବଂ ବିମାନ ଘଟଣାସ୍ଥଳରେ ପାଣି ଏବଂ ରିଟାର୍ଡାଣ୍ଟ ପକାଉଛନ୍ତି । ହ୍ରଦ ନିକଟରେ ଥିବା ଲୋକଙ୍କୁ ଆଲର୍ଟ ଜାରି କରାଯାଇଛି । ନିଆଁ ଧାସରେ ମଣିଷ ପଶିବା ସମ୍ଭବ ହେଉନଥିବାରୁ ରୋବର୍ଟ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛି ।
୧୫ ଦିନ ହେଲାଣି ଆମେରିକାରେ ନିଆଁ ଲାଗିଛି । ପ୍ରଶାସନର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ନିଆଁ ଆୟତ୍ତ ହେଉନି । ପରିସ୍ଥିତିକୁ ନଜରରେ ରଖି, ଲସଏଞ୍ଜେଲସରେ ଜରୁରୀକାଳୀନ ଆଲର୍ଟ ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନିଆଁର ଭୟାଭୟତା ଦେଖି ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ନିଆଁରେ ୨୫ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ବ୍ୟକ୍ତି ନିଖୋଜ ଅଛନ୍ତି ।
ସୂଚନାଯୋଗ୍ୟ, ୨୦୨୮ରେ ଆମେରିକା ଲସ ଏଞ୍ଜେଲସ ସହରରେ ଖେଳ ମହାକୁମ୍ଭ ଅଲମ୍ପିକ୍ସ ଆୟୋଜନ ହେବ । ୧୪ ଜୁଲାଇରୁ ୩୦ ଜୁଲାଇ ୨୦୨୮ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ । ଆଉ ଏବେ ନିଆଁ ଲାଗି ସଂପୂର୍ଣ୍ଣ ସହର ଛାରଖାର ହୋଇଯାଇଛି । ଅଲମ୍ପିକ୍ସ ଖେଳକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।
Also Read : ଥମିବା ବଦଳରେ ନୂଆ ଅଞ୍ଚଳକୁ ବ୍ୟାପୁଛି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ, ୨୪ ମୃତ, ଜଳିଗଲାଣି ୧୨ ହଜାରରୁ ଅଧିକ ଘର