ପ୍ରାୟତଃ ଅନେକ ସମୟରେ ବାଇକ୍ ଷ୍ଟଣ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହା ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଏ । କିନ୍ତୁ ଏଥର ଏମିତି ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଷ୍ଟଣ୍ଟ କରୁଥିବା ଯୁବକଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଲୋକମାନେ ଭିନ୍ନ ପଦକ୍ଷେପ ନେଇଛନ୍ତି । ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ଘଟଣା ବେଙ୍ଗାଲୁରୁ ନେଲମଙ୍ଗଲାର । ଏଠାକାର ଲୋକମାନେ ହ୍ଵିଲ୍ ଷ୍ଟଣ୍ଟ କରୁଥିବା ଯୁବକମାନଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ । ଷ୍ଟଣ୍ଟମ୍ୟାନଙ୍କ କାର୍ଯ୍ୟରେ ବିରକ୍ତ ହୋଇ ସେମାନେ ଯୁବକମାନଙ୍କୁ ଘେରି ନେଇଥିଲେ ଏବଂ ଉଚିତ୍ ଶିକ୍ଷା ଦେବା ପାଇଁ ସେମାନଙ୍କ ସ୍କୁଟରକୁ ଫ୍ଲାଏଓଭରରୁ ତଳକୁ ଫିଙ୍ଗି ଦେଇଥିଲେ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ହ୍ଵିଲ୍ ଷ୍ଟଣ୍ଟର ଅର୍ଥ, ବାଇକର ଆଗ ଚକ ଉପରକୁ ଉଠାଇ ଚଲାଇବା । ବେଙ୍ଗାଲୁରୁ ରାସ୍ତାରେ ଏଭଳି ଷ୍ଟଣ୍ଟର ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ସାମ୍ନାକୁ ଆସିଥାଏ । ବେଙ୍ଗାଲୁରୁ ନିକଟ ତୁମକୁର ହାଇୱେ ଫ୍ଲାଏଓଭରରେ ଏହି ଘଟଣା ଘଟିଛି । ଫ୍ଲାଏଓଭରରେ ଥିବା ଲୋକମାନେ ଦୁଇଟି ସ୍କୁଟରକୁ ତଳକୁ ଫିଙ୍ଗୁଥିବା ଭିଡିଓରେ ଦେଖାଯାଉଛି । ତେବେ ଘଟଣାରେ କେହି ଆହତ ହୋଇନାହାନ୍ତି । ‘X’ରେ @bawalhoterhenge ନାମକ ଆକାଉଣ୍ଟରୁ ଭିଡିଓଟିକୁ ସେୟାର କରାଯାଇଛି ।