ଡ୍ରଗ୍ସ କବଳିତ ଲୋକଙ୍କ ସ୍ଥାନ ଏବେ ଜେଲ୍ ନୁହେଁ, ହେବ ନିଶାମୁକ୍ତି କେନ୍ଦ୍ର; ଆଇନ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର

ଡ୍ରଗ୍ସ କିମ୍ବା କୌଣସି ନିଶାଜାତ ଦ୍ରବ୍ୟ କବଳରେ ଫସିଥିବା ଲୋକଙ୍କୁ ସରକାର ଏବେ କୌଣସି ବି ପ୍ରକାର କଠୋରତା ପରିବର୍ତ୍ତେ ସହାନୁଭୂତି ସପକ୍ଷରେ ଅଛନ୍ତି। କାହିଁକିନା, ସରକାର ଏହା ସହ ଜଡ଼ିତ ଆଇନରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ପାଖରେ ଯଦି ନିଜେ ବ୍ୟବହାର ପାଇଁ ସୀମିତ ମାତ୍ରାରେ ବି ଡ୍ରଗ୍ସ କିମ୍ବା ନିଶାଦ୍ରବ୍ୟ ମିଳୁଛି, ତା’ ହେଲେ ସୁଦ୍ଧା ସେମାନଙ୍କ ଉପରେ କୌଣସି ଆପରାଧିକ ମାମଲା ରୁଜୁ ହେବ ନାହିଁ କି ସେମାନଙ୍କୁ ଜେଲ୍ ମଧ୍ୟ ପଠାଯିବ ନାହିଁ। ଏହା ବଦଳରେ ଏମିତି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର ପଠାଯିବ।
ନିଶା ବିରୋଧରେ ଦେଶବ୍ୟାପୀ ଲଢ଼େଇ ଭିତରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ସହିତ ଧରା ପଡ଼ିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ପରିବର୍ତ୍ତନକୁ ନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି କି, ଡ୍ରଗ୍ସ କିମ୍ବା କୌଣସି ନିଶା କବଳରେ ଫସିଥିବା ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ସେମାନଙ୍କ ସହିତ ଅପରାଧୀଙ୍କ ଭଳି ବ୍ୟବହାର କରାଯିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ସେମାନେ ପୁଣିଥରେ ଏହା କବଳରେ ଫସି ପାରନ୍ତି। ତେଣୁ ଜରୁରୀ କି, ସେମାନଙ୍କୁ ଏହି ଖରାପ ଅଭ୍ୟାସଠାରୁ ଛୁଟକାରା ଦିଆଯିବ। ମନ୍ତ୍ରାଳୟ ଏହା ମଧ୍ୟ ସ୍ପଷ୍ଟ କରି ଦେଇଛି ଯେ ଆଇନ ପରିବର୍ତ୍ତନ ପଛର ଉଦ୍ଦେଶ୍ୟ ଏହା ହେବ ନାହିଁ କି, ଯେଉଁ ଲୋକ ଡ୍ରଗ୍ସ କିମ୍ବା ନିଶା କାରବାରରେ ଜଡ଼ିତ, ସେମାନଙ୍କୁ କୌଣସି ବି ପ୍ରକାର ଆଶ୍ୱସ୍ତି ଦିଆଯିବ। ମନ୍ତ୍ରାଳୟର କହିବା ହେଲା, ଯେଉଁ ଲୋକ ଏହି ପ୍ରକାର କାରବାରରେ ଜଡ଼ିତ ଅଛନ୍ତି, ସେମାନଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।
ସଂସଦ ଅଧିବେଶନରେ ବିଲ୍ ଆଣିବାକୁ ଯୋଜନା
ମନ୍ତ୍ରାଳୟ ଅଧିକାରୀମାନଙ୍କ ମୁତାବକ, ସଂସଦର ଶୀତକାଳୀନ ଅଧିବେଶନରେ ଏହା ସହ ଜଡ଼ିତ ଏକ ବିଲ୍ ଆଣିବାକୁ ପୂରା ଯୋଜନା ରହିଛି। ଏହି ବିଲ୍ ରାଜସ୍ୱ ବିଭାଗ ତରଫରୁ ଅଣାଯିବ। ଆଗାମୀ ସପ୍ତାହରେ ଏହାକୁ କ୍ୟାବିନେଟରେ ଅଣାଯିବାକୁ ଯୋଜନା ରହିଛି। ଏହାରି ଭିତରେ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରାଳୟ କହିଛି କି, ବର୍ତ୍ତମାନ ସମୟରେ ସାରା ଦେଶରେ ପାଖାପାଖି ୬୦୦ ନିଶାମୁକ୍ତି କେନ୍ଦ୍ର ରହିଛି। ତଥାପି ଆଇନରେ ପରିବର୍ତ୍ତନ ପରେ ଯଦି କିଛି ଆବଶ୍ୟକ ପଡ଼େ, ତା’ ହେଲେ ଅଧିକ କେନ୍ଦ୍ର ଖୋଲା ଯାଇପାରେ। ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦିଆଯାଇଛି।
ସରକାର ଆରମ୍ଭ କରିଛନ୍ତି ଅଭିଯାନ
ବର୍ଷ ୨୦୧୪ରେ ଶାସନକୁ ଆସିବା ପରେ ହିଁ ନରେନ୍ଦ୍ର ମୋଦି ସରକାର ନିଶା ବିରୋଧୀ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ଡ୍ରଗ୍ସ କବଳରେ ଗମ୍ଭୀର ଭାବେ ଫସିଥିବା ଲୋକଙ୍କୁ ଏଥିରୁ ବାହାର କରିବା ପାଇଁ ନିଶାମୁକ୍ତି କେନ୍ଦ୍ର ଖୋଲା ଯାଇଛି। ଏଠାରେ ଲୋକଙ୍କୁ ରଖିବା ଏବଂ ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି। ସରକାର ଏମିତି ଲୋକଙ୍କୁ ଚିହ୍ନଟ ପାଇଁ ଦେଶର ୧୮୬ ଜିଲାରେ ଏମ୍ସ ଦିଲ୍ଲୀ ସହିତ ମିଶି ଏକ ସର୍ଭେ କରାଇଥିଲେ, ଯେଉଁଥିରେ ସମସ୍ତ ରାଜ୍ୟର ଡ୍ରଗ୍ସ ସମ୍ବେଦନଶୀଳ ଜିଲ୍ଲା ଅନ୍ତର୍ଭୁକ୍ତ ରହିଥିଲା।