ତୁ ସିନା ମତେ ଏକା କରି ଚାଲିଗଲୁ ହେଲେ ମୁଁ କୁଆଡ଼େ ଯିବି ?

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରତିଦିନ ଆଶ୍ଚର୍ଯ୍ୟଜନକ ଖବର ଆଣୁଛି । ସୋସିଆଲ ମିଡିଆରେ ଯୁଦ୍ଧକୁ ଯୋଡି ଅନେକ ଲୋମଟାଙ୍କୁରା ଭିଡ଼ିଓ ଓ ଫଟୋ ପୋଷ୍ଟ ହେଉଛି । ଯାହାକୁ ଦେଖି ଦେହ ଶୀତେଇ ଯାଉଛି । ମୁହଁରୁ ଆପେ ଆପେ ବାହାରି ଆସୁଛି, ସତରେ ଏ ଯୁଦ୍ଧ କେତେ ସାଂଘାତିକ ? ଏହା ବନ୍ଦ ହେବା ଦରକାର । ତେବେ ଏହାରି ଭିତରେ ଆଉ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ୟୁକ୍ରେନର ଜଣେ ନାଗରିକଙ୍କୁ ଋଷର ସୈନିକ ହତ୍ୟା କଲା ପରେ ତାଙ୍କର ମୃତଦେହ ସେଠି ପଡ଼ି ରହିଛି । ଆଉ ସେହି ମୃତଦେହ ପାଖରେ ବସି ସରିଛି କୁକୁରଟିଏ । ଏତେ ଗୁଳିଗୋଳ ବର୍ଷଣ ଭିତରେ ବି ବି ସେହି ସ୍ଥାନ ଛାଡି ଯାଇନି ତାଙ୍କ ପୋଷା କୁକୁର । ଯାହାକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ଭିଡିଓଟିକୁ ନିରିଖେଇ ଦେଖିବାକୁ ଚାହିଁବେ । କାରଣ ସେ ତାର ମାଲିକ ଠାରୁ ଏତେ ସ୍ନହ ପାଇଛି ଯେ ତାଙ୍କୁ ଏମିତି ଏକା ଛାଡି ଯିବାକୁ ଚାହୁନାହିଁ । କେଜାଣି ତା ମନରେ କଣ ଚାଲିଛି କେବଳ ସେ ହିଁ ଜାଣେ ।
ଏହି ଭିଡିଓ ଟ୍ଵିଟରରେ ବେଶ ଭାଇରାଲ ହେଉଛି । ଏଥିରେ ଗୋଟିଏ କୁକୁର ବସି ରହିଛି ଓ ତା ପାଖରେ ତାର ମୁନିବର ଶବ ପଡ଼ି ରହିଛି । ଜର୍ମାନ ଶେପାର୍ଡ ପ୍ରଜାତିର ଏହି କୁକୁର ତାଙ୍କ ନିକଟରେ ବସି ରହିଛି । ଆତୁର ହୋଇ ଚାହିଁଛି । ଯେମିତି ମାଲିକ ଏଇନା ଉଠିବ ଓ ତାକୁ ଗେଲ କରିବ । ଯାହା ଖବର ମିଳିଛି ସେହି ଅନୁଯାୟୀ ୟୁକ୍ରେନ୍ରେ ଅନେକ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ବାସସ୍ଥାନ ଛାଡ଼ି ପଳାଇଛନ୍ତି । ଆଉ ଏମିତି ଛାଡି ଯାଇଛନ୍ତି ନିରୀହ ଗୃହପାଳିତ ପଶୁମାନଙ୍କୁ ।
ଏଭଳି ଅନେକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯାହା ଆମେ ଆପଣଙ୍କୁ ଦେଖାଇ ପାରୁନାହୁଁ । ଗୋଟିଏ ଭିଡିଓ ରହିଛି, ଯେଉଁଥିରେ କୁକୁରଟି କାର ମଧ୍ୟରେ ମୃତ ଅବସ୍ଥାରେ ପଡିରହିଛି । ପେଟରେ ତାର ଗୁଳି ଲାଗିଛି । ଅନ୍ୟ ଏକ ଭିଡିଓରେ କୁକୁରର କାନ୍ଦିବାର ସ୍ୱର ଶୁଣାଯାଉଛି । ପୁଣି ଜଣେ ଝିଅ ନିଜ ପୋଷା କୁକୁରକୁ ସାଙ୍ଗରେ ନେଇ ବିମାନରେ ଦେଶ ଛାଡ଼ିଲେ । ତାଙ୍କୁ ପ୍ରଥମେ ଯେତେବେଳେ ବାରଣ କରାଗଲା ସେତେବେଳେ ସେ ଏମିତି କାନ୍ଦିଲେ ଓ ନେହୁରା ହେଲେ ଯେ ବାଧ୍ୟ ହୋଇ ବିମାନରେ ତାଙ୍କ ସହ କୁକୁରଟି ମଧ୍ୟ ଗଲା । ଚାରିଆଡେ ଗୁଳି ଚାଳନା ହେଉଥିବାରୁ ବିଚଳିତ ହୋଇପଡ଼ିଛନ୍ତି ଏଭଳି ପଶୁମାନେ । ହେଲେ ସେମାନେ ଯିବେ କୁଆଡ଼େ ? ମଣିଷ ସିନା ଅନ୍ୟ ସ୍ଥାନକୁ ପଳାଇ ପାରିବ କିନ୍ତୁ ପଶୁମାନେ କଣ କରିବେ ?
କହି ରଖୁଛୁ କି ଏହି ଗୋଳା ବର୍ଷଣ ଭିତରେ ଅନେକ ବୁଲା କୁକୁରମାନଙ୍କର ମୃତ୍ୟୁ ହୋଇଛି । ଲୋକମାନେ ମଧ୍ୟ ବହୁ କୁକୁରଙ୍କ ଶବକୁ ପୋତି ଦେଇଛନ୍ତି । କିଛି ଲୋକେ ଏପରି ବି ଅଛନ୍ତି କି ଅନେକ କୁକୁରଙ୍କୁ ଉଦ୍ଧାର କରିଛନ୍ତି । ଏପରି ଚିତ୍ର ସବୁ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଯାହା ବେଶ ହୃଦୟ ବିଦାରକ ।