ଭୟଙ୍କର ଅଗ୍ନିକାଣ୍ଡରୁ ୩୫ ଜଣଙ୍କ ଜୀବନ ବଞ୍ଚାଇଲା ପୋଷା କୁକୁର, ହେଲେ….

ବାନ୍ଦା (ଉତ୍ତର ପ୍ରଦେଶ) : କଥାରେ ଅଛି ମଣିଷର ସବୁଠାରୁ ଭଲ ବନ୍ଧୁ ହେଉଛି କୁକୁର । ଏକଥା ଆଉଥରେ ପ୍ରମାଣିତ କରିଛି ଗୋଟିଏ ପୋଷା କୁକୁର । ଗତ ୧୨ ତାରିଖ ଦିନ ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲା ଅତରା ଅଞ୍ଚଳରେ ଥିବା ଲଖନ କଲୋନୀ ନିକଟରେ ଥିବା ଏକ ବଡ଼ କୋଠା ଘରେ ନିଆଁ ଲାଗିଗଲା । ଏଥିରେ ଏକ ଫର୍ଣ୍ଣିଚର ସୋ ରୁମ୍‌ ଥିବାରୁ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଗଲା । ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ଏମିତି ବିସ୍ଫୋରଣ ହେଲା ଯେ ପାଖ ପଡ଼ୋଶୀଙ୍କର ୪ଟି ଘର ବି ଧ୍ୱଂସ ହୋଇଗଲା । ହେଲେ ଜୀବନ ବଞ୍ଚିଗଲା ଅନେକ ଲୋକଙ୍କର । କାରଣ ଏକ ପୋଷା କୁକୁର ଯୋଗୁଁ ସେମାନେ ନିଆଁ ଭିତରୁ ବର୍ତ୍ତିଗଲେ । ଜୀବନ ବଞ୍ଚାଇ ପାରିଲେ ।

DOG-1ରାତିରେ ସମସ୍ତେ ଶୋଇଥିବା ବେଳେ ବିଲଡିଂରେ ନିଆଁ ଲାଗି ଯାଇଥିଲା । ତେବେ ନିଆଁକୁ ଦେଖି ପୋଷା କୁକୁରଟି ଭୁକିବାକୁ ଲାଗିଲା । ଭୁକିବା ବନ୍ଦ ନହେବାରୁ ଲୋକମାନେ ନିଦରୁ ଉଠି ପଡ଼ିଥିଲେ । ଆଉ ନିଆଁକୁ ଦେଖି ନିଜ ଜୀବନ ବଞ୍ଚାଇ ବିଲଡିଂ ବାହାରକୁ ଚାଲି ଆସିଥିଲେ । ହେଲେ ସେଇ ନିଆଁ ଭିତର ରହିଗଲା କୁକରଟି । ବନ୍ଧା ହୋଇଥିବା ଯୋଗୁଁ ବାହାରକୁ ବାହାରି ପାରିଲା ନାହିଁ । ଏହି ସମୟରେ ଘରେ ଥିବା ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେଲା ଆଉ ପୋଷା କୁକୁରଟି ନିଆଁରେ ଜଳି ପ୍ରାଣ ହରାଇଲା ।
ନିଜେ ସିନା ମରିଗଲା ହେଲେ ବଞ୍ଚାଇ ଦେଲା ପ୍ରାୟ ୩୫ ଜଣଙ୍କ ଜୀବନ । ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଏହି ଫର୍ଣ୍ଣିଚର ସୋ ରୁମ୍‌ ବେଆଇନ୍‌ ଭାବେ ଚାଲିଥିଲା ବୋଲି ଅଗ୍ନିଶମ ବିଭାଗ ଓ ପୋଲିସ୍‌ କହିଛି ।