କେରଳ ମନ୍ଦିରକୁ ଯାନ୍ତ୍ରିକ ହାତୀ ଦାନ କଲା ପେଟା ଇଣ୍ଡିଆ, ସବୁଠି ହେଉଛି ଚର୍ଚ୍ଚା

କେରଳର ଏଡୟାର ଶ୍ରୀ ବଡକୁମ୍ବଡ ଶିବ ବିଷ୍ଣୁ ମନ୍ଦିରକୁ ଏକ ଯାନ୍ତ୍ରିକ ହାତୀ ଦାନ କରିଛି ପେଟା ଇଣ୍ଡିଆ । ମନ୍ଦିରକୁ ଯାନ୍ତ୍ରିକ ହାତୀ ଦେବା ପଛରେ ବି ବଡ଼ କାରଣ ରହିଛି । ମନ୍ଦିର ପ୍ରଶାସନ ମନ୍ଦିରରେ କେବେ ହାତୀ ରଖିବ ନାହିଁ କି ହାତୀକୁ ଭଡାରେ ମଧ୍ୟ ନେବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କିନ୍ତୁ ମନ୍ଦିରର ବିଭିନ୍ନ ଧାର୍ମିକ ରୀତିନୀତି ପାଇଁ ହାତୀର ଆବଶ୍ୟକତା ଅଛି, ତେଣୁ ମନ୍ଦିରର ଏହି ଆବଶ୍ୟକତା ପୂରଣ କରିବା ପାଇଁ ପେଟା ଇଣ୍ଡିଆ ଏକ ଯାନ୍ତ୍ରିକ ହାତୀଟିକୁ ମନ୍ଦିରକୁ ଦାନ କରିଛି ।

ଅଣଲାଭକାରୀ ସଂଗଠନ ପିପୁଲ୍ସ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ ବା ‘ପେଟା’ଏକ ବିବୃତ୍ତିରେ କହିଛି ଯେ ‘ୱଡକୁମ୍ବଡ ଶଙ୍କରାନାରାୟଣନ’ ନାମକ ଏହି ଯନ୍ତ୍ରଚାଳିତ ହାତୀଟିକୁ ମନ୍ଦିରକୁ ଦାନ କରାଯାଇଛି ।

ପେଟା ଦେଇଥିବା ସୂଚନା ଅନୁସାରେ, ‘ୱଡକୁମ୍ବଡ ଶଙ୍କରାନାରାୟଣନ’ ନାମକ ଏହି ଯାନ୍ତ୍ରିକ ହାତୀକୁ ମନ୍ଦିରର ଉତ୍ସବରେ ବ୍ୟବହାର କରାଯିବ । ଯାହା ଦ୍ବାରା ଭକ୍ତମାନେ ସୁରକ୍ଷିତ ଭାବେ ମନ୍ଦିରରେ ହେଉଥିବା ଉତ୍ସବକୁ ଉପଭୋଗ କରିପାରିବେ । ଅନ୍ୟପଟେ ଅସଲି ହାତୀମାନେ ବି ଜଙ୍ଗଲରେ ସେମାନଙ୍କ ପରିବାର ସହିତ ସୁରକ୍ଷିତ ଭାବେ ରହିପାରିବେ । ଆପଣଙ୍କୁ କହିରଖୁଛୁ ଯେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ପେଟା ପୂର୍ବରୁ କେରଳର ଅନେକ ମନ୍ଦିରକୁ ଏପରି ଯାନ୍ତ୍ରିକ ହାତୀ ଦାନ କରିସାରିଛି । ଏହା କେରଳର ଏକ ମନ୍ଦିରକୁ ପେଟା ଦ୍ୱାରା ଦାନ କରାଯାଇଥିବା ଚତୁର୍ଥ ଯାନ୍ତ୍ରିକ ହାତୀ । ତେବେ ହାତୀ ଦାନ କରାଯିବାର ଉଦ୍ଦେଶ୍ୟ ହେଉଛି ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କୁ ଜନବସତିକୁ ନଆଣିବା । ହାତୀ ଭଳି ପ୍ରାଣୀ ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ହିଁ ନିଜ ପରିବାର ସହିତ ମୁକ୍ତ ଭାବରେ ରହିପାରିବେ ।

ସୁବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ କେରଳରେ ରହୁଥିବା ପୋଷା ହାତୀ ଦ୍ୱାରା ଅନେକ ଲୋକଙ୍କ ଜୀବନ ଅକାରଣରେ ଯାଉଛି । ପୋଷା ହାତୀମାନେ ବେଳେବେଳେ ବେଲଗାମ ହୋଇଯାଆନ୍ତି ଏବଂ ଲୋକଙ୍କୁ ଦଳିଚକଟି ସେମାନଙ୍କ ପ୍ରାଣ ନେଇ ଯାଆନ୍ତି । ଅନେକ ସମୟରେ ମଣିଷମାନେ ବି ହାତୀଙ୍କୁ ଆକ୍ରମଣ କରନ୍ତି ।  ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ପେଟା ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ଯାହା ସତରେ ପ୍ରଶଂସନୀୟ ।