ଛୁରୀରେ ବୁଲା କୁକୁରକୁ ମରଣାନ୍ତକ ଆକ୍ରମଣ, ୧ ମୃତ, ଏକ ଗୁରୁତର…ଆକ୍ରମଣକାରୀଙ୍କୁ ଧରାଇଲେ ମିଳିବ ୫୦,୦୦୦ ଟଙ୍କା
ଉତ୍ତର-ପୂର୍ବ ଦିଲ୍ଲୀର କବୀର ନଗର ଅଞ୍ଚଳରୁ ଦୁଇଟି ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୃଥକ୍ ଜାଗାରେ ଦୁଇ ବୁଲା କୁକୁରଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଟି ଗୁରୁତର ଆହତ ହୋଇଛି ।
କୁକୁରମାନଙ୍କ ଉପରେ ଆକ୍ରମଣ ପରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ PETA (ପେଟା ଇଣ୍ଡିଆ) ୫୦,୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ।
ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ମୁତାବକ, ପଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ‘ପେଟା ଇଣ୍ଡିଆ’ ଅନୁସାରେ, ପ୍ରଥମ ଘଟଣା ଗୁରୁବାର ରାତିରେ ଘଟିଥିଲା । ଏଠାରେ ଏକ କୁକୁରକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଆହତ କୁକୁରର ଏବେ ଚିକିତ୍ସା ଚାଲିଛି ।
ଦ୍ୱିତୀୟ ଘଟଣାଟି ଶୁକ୍ରବାର ଘଟିଛି, ଯେଉଁଥିରେ ଏକ କୁକୁରକୁ ଛୁରୀରେ ଆକ୍ରମଣ କରାଯାଇଛି । ଏଥିରେ କୁକୁରଟିର ମୃତ୍ୟୁ ହୋଇଛି । ଉଭୟ ମାମଲାରେ ଅଜଣା ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଏଫଆଇଆର ପଞ୍ଜୀକୃତ ହୋଇଛି । ପୋଲିସ ଏହି ଦୁଇଟି ଘଟଣାରେ ଅଭିଯୁକ୍ତମାନଙ୍କୁ ଖୋଜିବାରେ ଲାଗି ପଡ଼ିଛି ।
ପେଟା ପକ୍ଷରୁ କୁହାଯାଇଛି ଯେ ଯିଏ ଅଭିଯୁକ୍ତଙ୍କୁ ଚିହ୍ନଟ କରି ତଦନ୍ତରେ ପୋଲିସକୁ ସହାୟତା କରିବ, ତାଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ । ପେଟା କହିଛି, ପଶୁ କ୍ରୁରତାର ଦୋଷୀମାନଙ୍କୁ ଚିକିତ୍ସା ଏବଂ ଡାକ୍ତରୀ ପରାମର୍ଶର ଆବଶ୍ୟକତା ରହିଛି । ଏହି ପ୍ରକାରର ନିଷ୍ଠୁର କାର୍ଯ୍ୟ ଗଭୀର ମାନସିକ ରୋଗର ସଙ୍କେତ ହୋଇପାରେ ।