ସ୍କୁଲ ଯିବା ବାଟରେ ଜଗିଥିଲା ଯମ: ଶିକ୍ଷକ ସ୍ୱାମୀ-ସ୍ତ୍ରୀଙ୍କୁ ଦଳିଦେଲା ପିକ୍‌ଅପ୍‌ ଭ୍ୟାନ୍‌, ଘଟଣାସ୍ଥଳରେ ମୃତ୍ୟୁ

ଔରଙ୍ଗାବାଦ: ବାଇକ୍‌ ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌। ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ଆଜି ଔରଙ୍ଗାବାଦ ଓବରା ଥାନା ଶଙ୍କରପୁର ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ବାଇକ୍‌ରେ ଯାଉଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଦଳି ଦେଇଛି। ଏହି ଦୁର୍ଘଟଣାରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଓବରା ଥାନା ଶଙ୍କରପୁର ଗାଁର ଅଶୋକ ପାସ୍‌ଓ୍ଵାନ୍‌ ଓ ତାଙ୍କ ପତ୍ନୀ ବାସନ୍ତ କୁମାରୀ ବୋଲି ଜଣାପଡ଼ିଛି। ଅଶୋକ ପାସ୍‌ଓ୍ଵାନ ଓବରା ଥାନା ଅଞ୍ଚଳର ମଧ୍ୟ ବିଦ୍ୟାଳୟ ଡିହରାରେ ଶିକ୍ଷକ ଥିଲେ। ସେହିପରି ତାଙ୍କ ପତ୍ନୀ ମଧ୍ୟ ଖରାଣ୍ଟିର ଏକ ବିଦ୍ୟାଳୟରେ ସହାୟକ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ ରହିଛି। ସ୍ୱାମୀ-ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ଔରଙ୍ଗାବାଦ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ତେବେ ହସ୍ପିଟାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ମୁତାବକ, ସବୁ ଦିନ ଭଳି ଅଶୋକ ଆଜି ମଧ୍ୟ ସ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ସ୍କୁଲ ଯାଉଥିଲେ। କିନ୍ତୁ ରାସ୍ତାରେ ସତେ ଯେମିତି ତାଙ୍କୁ ମୃତ୍ୟୁ ଜଗି ବସିଥିଲା। ଶଙ୍କରପୁର ପାଖରେ ପେଟ୍ରୋଲ ପକାଇବାକୁ ଗାଡ଼ି ବୁଲାଉଥିବା ବେଳେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍‌ ଅପ୍‌ ଭ୍ୟାନ୍‌ ତାଙ୍କୁ ଦଳି ଦେଇଥିଲା।

ଅନ୍ୟପଟେ ପୋଲିସ ପିକ୍‌ ଅପ୍‌ ଭ୍ୟାନ୍‌କୁ ଧରିବାରେ ସଫଳ ହୋଇଛି। ଗାଡ଼ି ଚାଳକକୁ ମଧ୍ୟ ଗିରଫ କରାଯାଇଛି। ତେବେ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖା ଦେଇଛି। ଏହି ମୃତ ଦମ୍ପତିଙ୍କର ୨ଟି ପୁଅ ଓ ୩ଟି ଝିଅ ଅଛନ୍ତି। ୨ ଝିଅଙ୍କ ବିବାହ ସରିଥିବା ବେଳେ ଆଉ ସମସ୍ତେ ପଢ଼ୁଥିବା ଜଣାଯାଇଛି।

Also Read: ଖୁସି ଖବର! ପୂରା ହେଲା ଭାରତର ପ୍ରଥମ ନାଜାଲ ଭ୍ୟାକ୍‌ସିନ୍‌ର ଟ୍ରାଏଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.