ମୁମ୍ବାଇରେ ବଡ଼ ଧରଣର ବିସ୍ଫୋରଣ ଯୋଜନା ! McDonald’s କୁ ବୋମାରେ ଉଡ଼ାଇ ଦେବାକୁ ଧମକ

କେହି ଜଣେ ଅଜଣା ବ୍ୟକ୍ତି ମୁମ୍ବାଇ ପୋଲିସକୁ କଲ୍‌ କରି ଦାଦର ଅଞ୍ଚଳରେ ଥିବା McDonald'sରେ ବିସ୍ଫୋରଣ ହେବ ବୋଲି ସୂଚନା ଦେଇଛନ୍ତି ।

ସାରା ଦେଶରେ ଲୋକସଭା ନିର୍ବାଚନ ଭିତରେ ମୁମ୍ବାଇରୁ ଆସିଛି ଏକ ଭୟଭୀତ କଲା ଭଳି ଖବର । ଏଠାରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ୍‌ ରୁମ୍‌କୁ ଏକ ଫୋନ୍‌ କଲ୍‌ ମିଳିଛି । କେହି ଜଣେ ଅଜଣା ବ୍ୟକ୍ତି ମୁମ୍ବାଇ ପୋଲିସକୁ କଲ୍‌ କରି ଦାଦର ଅଞ୍ଚଳରେ ଥିବା McDonald’sରେ ବିସ୍ଫୋରଣ ହେବ ବୋଲି ସୂଚନା ଦେଇଛନ୍ତି ।

କଲ୍ କରିଥିବା ବ୍ୟକ୍ତି ପୋଲିସକୁ କହିଥିଲେ ଯେ ସେ ବେଷ୍ଟ ବସ୍ ନମ୍ବର ୩୫୧ରେ ଯାତ୍ରା କରୁଥିଲେ । ସେହି ସମୟରେ ଦୁଇଜଣ ଲୋକ McDonald’sକୁ ବୋମାରେ ଉଡ଼ାଇ ଦେବା ବିଷୟରେ କଥା ହେଉଥିବାର ସେ ଶୁଣିବାକୁ ପାଇଥିଲେ । କଲର୍ ଜଣକ ଶନିବାର ରାତିରେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ କଲ୍‌ କରି ଏହା ବିଷୟରେ ସୂଚନା ଦେଇଥିଲେ ।

ଏହି ଫୋନ୍‌ କଲ୍ ପରେ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ ଆରମ୍ଭ କରିଦେଇଛି । ହେଲେ ଏଠାରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।

ଏହିପରି କିଛି ଦିନ ତଳେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ବୋମା ଧମକ ମିଳିଥିଲା । ଏହାକୁ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଥିଲା । ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସେମାନଙ୍କୁ ବିଭିନ୍ନ ହସ୍ପିଟାଲରୁ ବୋମା ଧମକ ନେଇ ଇମେଲ ମିଳିଥିଲା । ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ (ଜନକପୁରୀ), ହେଡ୍‌ଗେଓ୍ଵାର ହସ୍ପିଟାଲ, ଦୀପଚନ୍ଦ୍ର ବନ୍ଧୁ ହସ୍ପିଟାଲ ଆଦି ଅନ୍ତର୍ଭୁକ୍ତ । ବୋମା ଧମକର ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ସମସ୍ତ କଲ୍ ଯାଞ୍ଚ କରିଥିଲା ।

ବୁରାଡ଼ି ହସ୍ପିଟାଲ, ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଉଭୟ ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ବୋମା ଓ ଡଗ୍‌ ସ୍କ୍ଵାଡ୍‌ ସହାୟତାରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସିଭିକ୍‌ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ତେବେ ପରିସରରୁ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା ।

ଏହା ପୂର୍ବରୁ ଦିଲ୍ଲୀର ତିହାର ଜେଲ୍‌, ବିମାନବନ୍ଦର ଏବଂ ବିଭିନ୍ନ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା ।

Leave A Reply

Your email address will not be published.