ଫିଲିପାଇନ୍ସ ପୁଣି ଭୟଙ୍କର ବିମାନ ଦୁର୍ଘଟଣା, ୪ ମୃତ

ଫିଲିପାଇନ୍ସରେ ଆମେରିକାର ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ୟୁଏସର ସର୍ଭିସ ମେମ୍ବରଙ୍କ ସମତେ ୩ ପ୍ରତିରକ୍ଷା କଣ୍ଟ୍ରାକ୍ଟର ପ୍ରାଣ ହରାଇଛନ୍ତି । ରୁଟିନ ମିଶନ ବେଳେ ଘଟିଛି ଦୁର୍ଘଟଣା ।

ଫିଲିପାଇନ୍ସର ଅନୁରୋଧରେ ଆମେରିକା ବିମାନ ଗୁପ୍ତ ସୂଚନା ଓ ସୁରକ୍ଷା ଯାଞ୍ଚ କରୁଥିବା ବେଳେ ଖସି ପଡ଼ିଛି ଏୟାରକ୍ରାଫ୍ଟ । ଦକ୍ଷିଣ ଫିଲିପାଇନ୍ସ ମାଗୁଇନଡାନାଓ ଡେଲ ସୁର ଅଞ୍ଚଳର ଧାନ କ୍ଷେତରେ ପଡ଼ି ଜଳିଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରହିଛି ।

ସ୍ଥାନୀୟ ଲୋକ ବିସ୍ଫୋରଣ ଶବ୍ଦ ଶୁଣି ବାହାରକୁ ଚାଲିଆସିଥିଲେ । ଏକ ଜନବସତି ଠାରୁ ମାତ୍ର ୧ କିମି ଦୂରରେ ବିମାନଟି ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ଦୁର୍ଘଟଣା ସ୍ଥଳ କିମ୍ବା ଆଖପାଖରେ କୌଣସି ପ୍ରକାରର ଆହତ ଜନିତ ଖବର ଆସିନାହିଁ ।

ସୂଚନାଯୋଗ୍ୟ, ସିଆଟେଲ୍- ଟାକୋମା ଏୟାରପୋର୍ଟ ରନଓ୍ୱେରେ ୨ ବିମାନ ଧକ୍କା ହୋଇଥିଲା ।  ହେଲେ ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଜାପାନ ଏୟାର ଲାଇନ୍ସର ଜେଟ୍ ଓ ଡେଲ୍ଟା ଏୟାର ଲାଇନ୍ସ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପାଇଁ କିଛି ସମୟ ବିମାନ ଉଡାଣକୁ ବାତିଲ କରାଯାଇଥିଲା ।

କିଛି ଦିନ ତଳେ ଆମେରିକାରେ ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା । ଆମେରିକାର ୱାଶିଂଟନ ଡିସି ନିକଟରେ ରେଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ବିମାନକୁ ଧକ୍କା ଦେଇଥିଲା ଆର୍ମି ହେଲିକପ୍ଟର । ଦୁର୍ଘଟଣା ପରେ ବିମାନଟି ପୋଟମାକ୍ ନଦୀକୁ ଖସିପଡିଥିଲା ।  ଏହି ଦୁର୍ଘଟଣାରେ ସମସ୍ତ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ହ୍ବାଇଟ୍‌ ହାଉସ୍‌ରୁ ମାତ୍ର ୫ କିଲୋମିଟର ଦୂରତ୍ବରେ ହୋଇଥିଲା ।

ୱାଶିଂଟନ୍ ପରେ ଫିଲାଡେଲଫିଆ ଏୟାରପୋର୍ଟ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଏକ ଛୋଟ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ପାଇଲଟଙ୍କୁ ମିଶାଇ ମୋଟ ୬ ଜଣ ଯାତ୍ରୀ ଥିଲେ ।

Also Read : ଆମେରିକାରେ ପୁଣି ଦୁଇ ବିମାନ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତି ୧୪୨ ଜଣ ଯାତ୍ରୀ