ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ । ୨୦୧୫ରୁ ଆଜିର ଦିନରେ ଏହା ପାଳିତ ହୋଇ ଆସୁଛି । ଆଜି ପାଳିତ ହେଉଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ । ଜାତିସଂଘରେ ସେପ୍ଟେମ୍ବର ୨୦୧୪ରେ ଯୋଗ ଦିବସ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଡିସେମ୍ବର ୨୦୧୪ରେ ଜୁନ ୨୧ରେ ଯୋଗ ଦିବସ ପାଳନ ଲାଗି ଜାତିସଂଘ ନିଷ୍ପତ୍ତି ନେଇଥିଲା । ସେତେବେଳେ ଜାତିସଂଘର ନିଷ୍ପତ୍ତିକୁ ୧୭୭ ଦେଶ ସମର୍ଥନ ଜଣାଇଥିଲେ । ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି ‘ ସ୍ଵୟଂ ଏବଂ ସମାଜ ପାଇଁ ଯୋଗ ‘। ସୁସ୍ଥ ଏବଂ ସନ୍ତୁଳିତ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ ଯୋଗ। ଭାରତର ପ୍ରାଚୀନ ପରମ୍ପରା ଯୋଗ ଏବେ ବିଶ୍ୱ ସଂସ୍କୃତିର ଅଭିନ୍ନ ଅଙ୍ଗ ।

ଏହି ଅବସରରେ କାଶ୍ମୀର ମାଟିରୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗର ଯାତ୍ରା ଅନବରତ ଜାରି ରହିଛି । ବିଶ୍ୱରେ ଯୋଗକୁ ନେଇ ସଚେତନତା ବଢ଼ିଛି । ମାନବ ଜାତିକୁ ପ୍ରେରଣା ଦେବା ସହ ନୂଆ ଅବସର ସୃଷ୍ଟି କରିଛି ଯୋଗ । ସାଉଦିରେ ଯୋଗ ଶିକ୍ଷାରେ ସାମିଲ ହୋଇଛି । ଜର୍ମାନୀରେ ଦେଢ କୋଟି ଯୋଗ ଟ୍ରେନ୍ ର ଅଛନ୍ତି । ଯୋଗ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ ବୋଲି ସନ୍ଦେଶ ଦେଇଛନ୍ତି ମୋଦି ।

ବିଶ୍ୱର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ଯୋଗ ଉପରେ ଗବେଷଣା ହେଉଛି । ମଣିଷର ଶରୀର, ମନ ଓ ଆତ୍ମାରେ ଏକାଗ୍ରତା ଆଣିଥାଏ ଯୋଗ । ଯୋଗ ପର୍ଯ୍ୟଟନର ଏକ ଟ୍ରେଣ୍ଡ ସୃଷ୍ଟି ହୋଇଛି । ଶ୍ରୀନଗରର ଡାଲ ହ୍ରଦ କୂଳରେ ଆୟୋଜିତ ଶେର ଏ କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭-୮ ହଜାର ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.