କେର ଷ୍ଟାର୍ମରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ‘ବ୍ରିଟେନ ନିର୍ବାଚନରେ ଏହି ଚମତ୍କାର ବିଜୟ ପାଇଁ ଅଭିନନ୍ଦନ…’

ବ୍ରିଟେନ୍‌ରେ ସରକାର ପରିବର୍ତ୍ତନ ହୋଇଛି । ୧୪ ବର୍ଷ ପରେ କଞ୍ଜରଭେଟିଭ୍‌ ପାର୍ଟିକୁ ହରାଇ ଲେବର ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଦଳର ନେତା କେର ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହେବେ । ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଚମତ୍କାର ବିଜୟ ପାଇଁ କେର ଷ୍ଟାର୍ମରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ମୁଁ ସମସ୍ତ କ୍ଷେତ୍ରରେ ଭାରତ-ବ୍ରିଟେନର ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା, ପାରସ୍ପରିକ ବିକାଶ ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଆମର ସକାରାତ୍ମକ ଏବଂ ଗଠନମୂଳକ ସହଯୋଗ ଆଶା କରୁଛି’ ।

ବ୍ରିଟେନ୍‌ରେ ମୁଖ୍ୟ ବିରୋଧୀ ଲେବର ପାର୍ଟି ପ୍ରଚଣ୍ଡ ବହୁମତ ସହ ବିଜୟ ହାସଲ କରିଛି । ୧୪ ବର୍ଷର ଅପେକ୍ଷା ପରେ ଦେଶରେ ଲେବର ପାର୍ଟି ସରକାର ଗଠନ କରିବାକୁ ଯାଉଛି । ଏ ପର୍ଯ୍ୟନ୍ତର ଫଳାଫଳରେ ଲେବର ପାର୍ଟି ୪୧୦ଟି ଆସନ ଜିତିଥିବା ବେଳେ କଞ୍ଜରଭେଟିଭ୍‌ ପାର୍ଟି ମାତ୍ର ୧୧୯ଟି ଆସନ ଜିତିବାରେ ସକ୍ଷମ ହୋଇଛି । ୬୫୦ ମଧ୍ୟରୁ ୬୪୧ଟି ଆସନରେ ଫଳାଫଳ ଘୋଷଣା ହୋଇସାରିଛି ।

ଲିବରାଲ୍ ଡେମୋକ୍ରାଟ୍ସ ୭୧ଟି ଆସନ, ସ୍କଟିଶ୍‌ ନ୍ୟାସନାଲ୍ ପାର୍ଟି ୮ଟି ଆସନ, ରିଫର୍ମ ୟୁକେ ୪ଟି ଆସନ, ପ୍ଲେଡ୍ ସିମରୁ, ସିନ୍‌ ଫେନ୍ ଏବଂ ଡିୟୁପି ପ୍ରତ୍ୟେକ ଚାରିଟି ଲେଖାଏ ଆସନରେ ବିଜୟ ହାସଲ କରିଛନ୍ତି । ଯେତେବେଳେ କି, ଗ୍ରୀନ୍ ପାର୍ଟି ୪ଟି ଆସନ ଜିତିବାରେ ସକ୍ଷମ ହୋଇଛି ।

ଏହି ବିରାଟ ବିଜୟ ପରେ କେର ଷ୍ଟାର୍ମର ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ‘ଆମେ କରି ଦେଖାଇଲୁ । ଏହାପାଇଁ ଆପଣ ପ୍ରଚାର କରିଥିଲେ, ଏହାପାଇଁ ଆପଣ ଲଢ଼ିଥିଲେ, ଏହାପାଇଁ ଆପଣ ଭୋଟ୍ ଦେଇଥିଲେ ଏବଂ ଏହାର ଫଳାଫଳ ବର୍ତ୍ତମାନ ସମସ୍ତଙ୍କ ସାମ୍ନାରେ’ । ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା ।