ଆଜି ଜାତୀୟ କ୍ରୀଡ଼ା ଦିବସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ(କେନ୍ୟୁଜ୍): ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୋଦି କହିଛନ୍ତି ଆଜିର ଦିନରେ ମେଜର ଧ୍ୟାନଚନ୍ଦ ଭଳି ଜଣେ ମହାନ ଖେଳାଳି ମିଳିଥିଲେ । ଫିଟ୍ ଇଣ୍ଡିଆ ମାଧ୍ୟମରେ ଦେଶ ସୁସ୍ଥ ଇଣ୍ଡିଆ ଆଗକୁ ପାଦ ବଢାଇଛି । ନ୍ୟୁ ଇଣ୍ଡିଆ ମାଧ୍ୟମରେ ସମସ୍ତ ନାଗରିକଙ୍କୁ ଫିଟ୍ କରିବା ସରକାରଙ୍କ ଲକ୍ଷ୍ୟ । ଫିଟ୍ ଇଣ୍ଡିଆକୁ ଜନ ଆନ୍ଦୋଳନରେ ପରିଣତ କରିବାର ଆବଶ୍ୟକତା ରହିଛି । ଯେଉଁ ଖେଳାଳିମାନେ ଦେଶ ପାଇଁ ଗର୍ବ ଆଣୁଛନ୍ତି, ସେମାନଙ୍କୁ ଉତ୍ସାହିତ କରିବା ଦରକାର । ମୋଦି କହିଛନ୍ତି ଫିଟ୍ନେସ୍ କେବଳ ଏକ ଶବ୍ଦ ନୁହଁ, ସୁସ୍ଥ ଜୀବନ ପାଇଁ ଏହା ଏକ ଜରୁରୀ ଶବ୍ଦ । ଏହି ଫିଟ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ କଲେଜ ଓ ବିଶ୍ୱବିଦ୍ୟାଳୟ ୧୫ ଦିନିଆ ଫିଟ୍ନେସ୍ ପ୍ଲାନ୍ ପ୍ରସ୍ତୁତ କରିବେ । ଏହାକୁ କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ପୋର୍ଟାଲ, ୱେବସାଇଟ୍ରେ ଅପ୍ଲୋଡ୍ କରିବାକୁ ହେବ । କିଛି ଦିନ ତଳେ ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ନେଇ ପରାମର୍ଶ ଦେବାକୁ ଏକ କମିଟି ଗଠନ କରାଯାଇଛି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ମୋଦି ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ସଂପର୍କରେ ଆଲୋଚନା କରିଥିଲେ ।