ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତ ତରଫରୁ ୧୧୭ ଖେଳାଳି ଭାଗ ନେଇଥିଲେ । ଭାରତ ମୋଟ ୬ଟି ପଦକ ଜିତିଥିବା ବେଳେ ସେଥିରେ ରହିଛି ଗୋଟିଏ ରୌପ୍ୟ ଏବଂ ପାଞ୍ଚଟି ବ୍ରୋଞ୍ଜ ପଦକ । ଆଜି ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି ।
ମୋଦି ପ୍ରଥମେ ଭାରତୀୟ ହକି ଦଳକୁ ଭେଟିଥିଲେ । ଖେଳାଳିମାନେ ତାଙ୍କୁ ନିଜର ପଦକ ଦେଖାଇଥିଲେ । ଏହିପରି ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ମଧ୍ୟ ପିଏମ୍ ମୋଦି ଭେଟିଥିଲେ । ପରେ ସେ ଅମନ ସହରାୱତ ଓ ସ୍ୱପ୍ନିଲ କୁସାଲେଙ୍କୁ ଭେଟିଥିଲେ । ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ ସେନଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ ।
ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସ୍ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା । ପ୍ୟାରିସ୍ ଯାଇଥିବା ଭାରତୀୟ ଦଳରୁ ଅଧିକାଂଶ ଆଥ୍ଲେଟ ଫେରି ଆସିଛନ୍ତି । ସ୍ୱଦେଶ ଫେରିବା ପରେ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା । ଏବେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଭେଟିଛନ୍ତି, ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ପିଏମ୍ ମୋଦିଙ୍କୁ ଭାରତୀୟ ଖେଳାଳିମାନେ କିଛି ଗିଫ୍ଟ କରିଥିଲେ । ମନୁ ଭାକର ମୋଦିଙ୍କୁ ପିସ୍ତଲ ଦେଇଥିବା ବେଳେ ଅମନ ସହରାୱତ ଓ ହକି ଯୋଦ୍ଧା ପିଆର୍ ଶ୍ରୀଜେଶ ନିଜର ଜର୍ସି ହସ୍ତାନ୍ତର କରିଥିଲେ । ଭାରତୀୟ ହକି ଟିମ୍ର ଅଧିନାୟକ ହରମନପ୍ରୀତ ସିଂ ମଧ୍ୟ ଟିମ୍ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ହକି ଷ୍ଟିକ୍ ଭେଟି ଦେଇଥିଲେ ।