G-20: ବାଲିରେ ରିଷି ସୁନକଙ୍କ ସହ ହେଲା ପିଏମ୍‌ ମୋଦିଙ୍କର ସାକ୍ଷାତ; ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଭେଟିଲେ ସୁନକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲିରେ G-20 ସମ୍ମିଳନୀରେ ଭାଗ ନେବାକୁ ପହଞ୍ଚିଛନ୍ତି। ସେଠାରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ରିଷି ସୁନକଙ୍କ ସହ ମୋଦିଙ୍କର ଏହା ପ୍ରଥମ ସାକ୍ଷାତ। ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନରେ ହୋଇଥିବା ରାଜନୈତିକ ଅସ୍ଥିରତା ଏବଂ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା ପରେ ଅକ୍ଟୋବରରେ କଞ୍ଜରଭେଟିଭ୍‌ ପାର୍ଟିର ପ୍ରମୁଖ ତଥା ୟୁକେର ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଏଥି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G-20 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଗମ୍ଭୀରତାର ସହ ସାକ୍ଷାତ କରିଥିଲେ। ପିଏମ୍‌ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ୍‌ ମାକ୍ରୋନ୍‌ଙ୍କୁ ମଧ୍ୟ ଭେଟିଥିଲେ। ମୋଦି ଏଠାରେ ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଉପରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରିଥିଲେ।

ଏହି ସମୟରେ ପିଏମ୍‌ ମୋଦି ରୁଷ୍‌ ଏବଂ ୟୁକ୍ରେନ ଯୁଦ୍ଧ ଉପରେ ଗୁରୁତ୍ୱାରୋପ କରି କହିଥିଲେ, ‘ମୁଁ ବାରମ୍ବାର କହୁଛି କି, ଆମକୁ ୟୁକ୍ରେନରେ ଯୁଦ୍ଧ ରୋକିବା ପାଇଁ କୂଟନୀତି ରାସ୍ତାକୁ ଫେରିବାର ସମାଧାନ ଖୋଜିବାକୁ ହେବ’। ମୋଦି କହିଥିଲେ କି, ‘ଦ୍ୱିତୀୟ ବିଶ୍ୱଯୁଦ୍ଧ ଦୁନିଆରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଏହାପରେ ସେହି ସମୟର ନେତାମାନେ ଶାନ୍ତିର ମାର୍ଗ ଆପଣାଇବାର ଗୁରୁତର ପ୍ରୟାସ କରିଥିଲେ। ଏବେ ଆମର ପାଳି’।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ‘କଠିନ ବିଶ୍ୱ ବାତାବରଣରେ G-20କୁ ପ୍ରଭାବୀ ନେତୃତ୍ୱ ଦେବା ପାଇଁ ମୁଁ ରାଷ୍ଟ୍ରପତି ଜୋକୋ ଭିଡୋଡୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜଳବାୟୁ ପରିବର୍ତ୍ତନ, କୋଭିଡ୍‌ ମହାମାରୀ, ୟୁକ୍ରେନର ଘଟଣାକ୍ରମ ଏବଂ ଏହାସହ ଜଡ଼ିତ ବିଶ୍ୱସ୍ତରୀୟ ସମସ୍ୟା, ଏ ସବୁ ମିଶି ବିଶ୍ୱରେ ଧ୍ୱଂସର ତାଣ୍ଡବ ସୃଷ୍ଟି କରିଛନ୍ତି। ବିଶ୍ୱ ଯୋଗାଣ ଶୃଙ୍ଖଳା ନଷ୍ଟ ହୋଇଯାଇଛି। ସମଗ୍ର ବିଶ୍ୱରେ ଅତ୍ୟାବଶ୍ୟକ ଜିନିଷ ଯୋଗାଣରେ ସଙ୍କଟ ଦେଖାଦେଇଛି’।

ମୋଦି କହିଥିଲେ, ‘ପ୍ରତ୍ୟେକ ଦେଶର ଗରିବ ନାଗରିକମାନଙ୍କ ପାଇଁ ଚ୍ୟାଲେଞ୍ଜ ଆହୁରି ଗମ୍ଭୀର ରହିଛି। ସେମାନେ ପ୍ରଥମରୁ ହିଁ ଦୈନନ୍ଦିନ ଜୀବନ ସହିତ ସଂଘର୍ଷ କରୁଥିଲେ, ଏବେ ସେମାନଙ୍କ ପାଖରେ ସଂଘର୍ଷ କରିବାକୁ ଆର୍ଥିକ କ୍ଷମତା ନାହିଁ। ମିଳିତ ଜାତିସଙ୍ଘ ଭଳି ମଲ୍ଟିଲାଟେରାଲ୍‌ ସଂସ୍ଥା ଏହି ପ୍ରସଙ୍ଗ ଉପରେ ନିଷ୍ଫଳ ରହିଥିବା କଥାକୁ ଆମେ ସ୍ୱୀକାର କରିବାରେ ସଙ୍କୋଚ କରିବା ଉଚିତ୍‌ ନୁହେଁ। ଆଜି G-20ରୁ ବିଶ୍ୱକୁ ଅଧିକ ଆଶା ରହିଛି’।