ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ଦୁର୍ଘଟଣା : ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ରାଶି ଘୋଷଣା

ଉତ୍ତରପ୍ରଦେଶ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ହୋଇଥିବା ବସ୍‌-ଟ୍ୟାଙ୍କର ଧକ୍କାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଘଟଣାରେ ପିଏମଓ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ମୋଦି ଦୁର୍ଘଟଣା ନେଇ କହିଛନ୍ତି, ଉତ୍ତରପ୍ରଦେଶ ଉନ୍ନାଓରେ ହୋଇଥିବା ସଡ଼କ ଦୁର୍ଘଟଣା ଅତ୍ୟନ୍ତ ପୀଡାଦାୟକ । ଏଥିରେ ଯେଉଁ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା । ଈଶ୍ୱର ଏଭଳି କଠିନ ସମୟରେ ସେମାନଙ୍କୁ ଧୈର୍ଯ୍ୟ ଦିଅନ୍ତୁ । ଏହାସହିତ ଆହତଙ୍କୁ ଶୀଘ୍ର ସୁସ୍ଥ କାମନା କରିଛନ୍ତି । ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ଯଥାସମ୍ଭବ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ରାଷ୍ଟ୍ରପତି ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କୁ ଶୀଘ୍ର ସୁସ୍ଥ କାମନା କରିଛନ୍ତି । ଆକସ୍ମିକ ମୃତ୍ୟୁର ଶିକାର ହୋଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ବ୍ୟକ୍ତ କରୁଛି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଉନ୍ନାଓରେ ଆଗ୍ରାମ-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଡବଲ ଡେକର ବସ୍‌ ଏବଂ କ୍ଷୀର ବୋଝେଇ ଟ୍ୟାଙ୍କର ଧକ୍କା ହୋଇଥିଲା । ଆଜି ଭୋର ପ୍ରାୟ ୪ଟା ପରେ ବସ୍‌ଟି ଉନ୍ନାବର ଗଢ଼ାଗାଁ ନିକଟରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ବସ୍‌କୁ ଓଭରଟେକ୍‌ କରିଥିଲା। ଏହି ସମୟରେ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହୋଇଥିଲା। ବସ୍‌ ଧକ୍କା ହେବା ଫଳରେ ବହୁତ ଥର ଓଲଟିଥିଲା । ଏତେଥର ଓଲଟିବା ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବସଟି ବିହାରର ସୀତାମଢିରୁ ଦିଲ୍ଲୀ ଯାଉଥିଲା ।

ଖବର ପାଇ ତୁରନ୍ତ ଜିଲ୍ଲାପାଳ ଓ ଏସ୍‌ପି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସ୍‌ରୁ ତୁରନ୍ତ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଯାଇଥିଲା । ସେଠାରେ ଡାକ୍ତର ୧୮ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଲକ୍ଷ୍ନୌ ରେଫର କରି ଦିଆଯାଇଛି । ୧୮ ଜଣ ମୃତକଙ୍କ ମଧ୍ୟରେ ୧୪ ଜଣ ପୁରୁଷ ଏବଂ ୩ ଜଣ ମହିଳା ଏବଂ ଜଣେ ଶିଶୁ ଥିଲେ ।