ପୁଟିନଙ୍କ ସହ ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ-ୟୁକ୍ରେନ ବିବାଦ ପ୍ରସଙ୍ଗରେ ଆଲୋଚନା

ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାସହ ରୁଷ-ୟୁକ୍ରେନ ବିବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା ।
୨୨ତମ ଭାରତ-ରୁଷ ଦ୍ୱିପାକ୍ଷିକ ସମ୍ମିଳନୀର ସଫଳତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନେ ପକାଇବା ସହ ଉଭୟ ପକ୍ଷର ସ୍ୱାର୍ଥ ଥିବା ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱ ସମସ୍ୟାକୁ ନେଇ ଦୁଇ ନେତା ଆଲୋଚନା କରିଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିଥିଲେ । ଏହି ଗସ୍ତ ବେଳେ ରୁଷ-ୟୁକ୍ରେନ ବିବାଦର ସମାଧାନ ଆଲୋଚନା ଓ କୂଟନୀତି ମାଧ୍ୟମରେ କରିବା ପାଇଁ ମୋଦି ଗୁରୁତ୍ୱ ଦେଇଥିଲେ ।
ପିଏମ ମୋଦି ଏ ସମ୍ପର୍କରେ ପୋଷ୍ଟ କରି କହିଛନ୍ତି ଯେ ‘ରାଷ୍ଟ୍ରପତି ପୁଟିନଙ୍କ ସହ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଉପରେ ଆଜି ଆଲୋଚନା ହେଲା । ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ନିକଟରେ ମୋର ୟୁକ୍ରେନ ଗସ୍ତ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା । ୟୁକ୍ରେନ ଯୁଦ୍ଧର ସ୍ଥାୟୀ ତଥା ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ ଭାରତର ଦୃଢ ପ୍ରତିବଦ୍ଧତାକୁ ମୁଁ ଦୋହରାଇଛି’ ।
କହି ରଖୁଛୁ, ଏହା ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ଫୋନ୍ ଯୋଗେ ବାର୍ତ୍ତାଳାପ ହୋଇଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଥିଲା ଯେ ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ବାଇଡେନ ଉଦ୍ବେଗ ପ୍ରକାଶ କରିଛନ୍ତି ।