ପ୍ରଧାନମନ୍ତ୍ରୀ ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ, ଏହି ସବୁ ପ୍ରସଙ୍ଗରେ ହେଲା ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ୟୁକ୍ରେନ ପରିସ୍ଥିତି ଉପରେ ଭାରତର ସ୍ଥିତିକୁ ଦୋହରାଇବା ସହ କଥାବାର୍ତ୍ତା ଏବଂ କୂଟନୀତିକୁ ସମର୍ଥନ କରିଛନ୍ତି। ରୁଷ୍‌-ୟୁକ୍ରେନ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ମଧ୍ୟ ପୁଟିନଙ୍କ ସହ କଥା ହୋଇଥିଲେ। ଏପରି କି, ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ବି କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଉଭୟ ଦେଶ ସହ କଥାବାର୍ତ୍ତା ଜରିଆରେ ସମସ୍ୟାର ସମାଧାନ ବାହାର କରିବାକୁ ଅପିଲ୍‌ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁତାବକ, ଟେଲିଫୋନରେ କଥାବର୍ତ୍ତା ବେଳେ ଦୁଇ ନେତା ଡିସେମ୍ବର ୨୦୨୧ରେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମୟରେ ନିଆଯାଇଥିବା ନିର୍ଣ୍ଣୟର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ବିଶେଷ କରି କୃଷିଜାତ ଦ୍ରବ୍ୟ, ସାର ଏବଂ ଫାର୍ମା ଉତ୍ପାଦରେ ଦ୍ୱିପାକ୍ଷିକ ବାଣିଜ୍ୟକୁ କିପରି ଆହୁରି ପ୍ରୋତ୍ସାହିତ କରାଯାଇ ପାରିବ, ତାହା ଉପରେ ଉଭୟ କଥା ହୋଇଥିଲେ।

ଦୁଇ ନେତା ଅନ୍ତର୍ଜାତୀୟ ଶକ୍ତି ଏବଂ ଖାଦ୍ୟ ବଜାରର ସ୍ଥିତି ସମେତ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ବି ଚର୍ଚ୍ଚା, ଆଲୋଚନା କରିଛନ୍ତି। ପିଏମ୍‌ଓ ମୁତାବକ, ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବାର୍ତ୍ତା ଏବଂ କୂଟନୀତି ସପକ୍ଷରେ ଭାରତର ଦୀର୍ଘ ଦିନର ଆଭିମୁଖ୍ୟକୁ ଦୋହରାଇଛନ୍ତି। ବିଶ୍ୱ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ନିୟମିତ ପରାମର୍ଶ ଜାରି ରଖିବାକୁ ନେତାମାନେ ଆଲୋଚନା କରିଥିବା ପିଏମ୍‌ଓ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.