୩ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି, QUAD ସମ୍ମିଳନୀରେ ଯୋଗଦେବେ

ଚଳିତ ମାସ ଶେଷରେ ତିନି ଦିବସୀୟ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ ମୋଦି ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ । ଏହି ସମୟରେ ସେ କ୍ୱାଡ୍ ଲିଡର୍ସ ସମ୍ମିଳନୀ ବ୍ୟତୀତ ଅନେକ ବଡ଼ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ସେପ୍ଟେମ୍ବର ୨୧ରୁ ମୋଦିଙ୍କ ଆମେରିକା ଯାତ୍ରା ଆରମ୍ଭ ହେବ । ୨୧ରେ ସେ ଡେଲାୱେରର ୱିଲିଙ୍ଗଟନରେ ଚତୁର୍ଥ କ୍ୱାଡ ଲିଡର୍ସ ସମ୍ମିଳନୀରେ ଯୋଗଦେବେ । ଏହାପରେ ୨୨ରେ ସେ ନ୍ୟୁ ଜର୍ସିରେ ଭାରତୀୟ ସମ୍ପ୍ରଦାୟ ସହ ଜଡିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ପିଏମ୍‌ ମୋଦି ନିଜ ଗସ୍ତର ଶେଷ ଦିନ ସେପ୍ଟେମ୍ବର ୨୩ରେ ମିଳିତ ଜାତିସଂଘର ‘ସମିଟ୍‌ ଅଫ୍‌ ଦ ଫ୍ୟୁଚର’ରେ ମଧ୍ୟ ଭାଗ ନେବେ ।

ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ହୋମ୍‌ଟାଉନ ଡେଲାୱେରରେ କ୍ୱାଡ ସଙ୍ଗଠନର ବୈଠକ ଅନୁଷ୍ଠିତ ହେବ । ପ୍ରଥମେ କ୍ୱାଡ୍‌ ବୈଠକ ଭାରତରେ ୨୦୨୪ ଜାନୁୟାରୀରେ ହେବାର ଥିଲା । କିନ୍ତୁ କୌଣସି କାରଣବଶତଃ ଏହି ସମ୍ମିଳନୀକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଭାରତ ୨୦୨୫ରେ କ୍ୱାଡ ସଙ୍ଗଠନ ଆୟୋଜନ କରିବ ।

କ୍ୱାଡ୍ ହେଉଛି ଚାରୋଟି ଦେଶର ଏକ ସଙ୍ଗଠନ, ଯେଉଁଥିରେ ଭାରତ ବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଅନ୍ତର୍ଭୁକ୍ତ ଅଛନ୍ତି । ୨୦୦୭ରେ ଏହା ଗଠିତ ହୋଇଥିଲା । କିନ୍ତୁ ପୁର୍ନବାର ଏହାକୁ ୨୦୧୭ରେ ଆକ୍ଟିଭ୍‌ କରାଯାଇଥିଲା ।

ରିପୋର୍ଟ ମୁତାବକ, ସେପ୍ଟେମ୍ବର ୨୨ରେ ନ୍ୟୁ ଜର୍ସିରେ ପିଏମ୍‌ ମୋଦିଙ୍କ ମେଗା ଇଭେଣ୍ଟରେ ଭାରତୀୟ ସମ୍ପ୍ରଦାୟର ୨୪୦୦୦ରୁ ଅଧିକ ଲୋକ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like