ଭାରତୀୟ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଗଷ୍ଟ ୧୫ରେ କାର୍ଯ୍ୟକ୍ରମ

ପ୍ୟାରିସ୍‌ ଅଲିମ୍ପିକ୍ସ ପରେ ଏବେ ଭାରତୀୟ ପଦକ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଖୁବ୍ ଶୀଘ୍ର ଏହି ସମସ୍ତ ପଦକ ବିଜେତାଙ୍କୁ ଭେଟିବାକୁ ଯାଉଛନ୍ତି । ଏଥିପାଇଁ ଏକ ବିଶେଷ ଦିନ ଧାର୍ଯ୍ୟ କରାଯାଇଛି ।

ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳଙ୍କୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭେଟିବେ । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପରେ ଦିନ ୧ଟା ବେଳେ ମୋଦୀ ସେମାନଙ୍କୁ ଭେଟିପାରନ୍ତି ।

ଏଥର ଅଲିମ୍ପିକ୍ସରେ ଭାରତ ମୋଟ ୬ଟି ପଦକ ଜିତିଛି । ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ଅଲିମ୍ପିକ୍ସ ପାଇଁ ଭାରତର ୧୧୭ ସଦସ୍ୟ ବିଶିଷ୍ଟ ଦଳ ପ୍ୟାରିସ୍‌ ଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଥଲେଟ୍ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି । କିନ୍ତୁ ଭାରତ ପକ୍ଷରୁ ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ହକି ଖେଳାଳି ପିଆର୍‌ ଶ୍ରୀଜେଶ ଓ ମନୁ ଭାକର ଉଦ୍‌ଯାପନୀ ସମାରୋହରେ ‘ପରେଡ୍‌ ଅଫ୍ ନେସନ୍ସ’ ପାଇଁ ଭାରତୀୟ ଧ୍ୱଜବାହକ ଭାବରେ ମନୋନୀତ ହୋଇଥିଲେ ।

ପୁରୁଷ ହକି ଦଳ ମଧ୍ୟ ପ୍ୟାରିସରେ ଥିଲା । ଏହି ସମସ୍ତ ଆଥଲେଟ୍ ଏବଂ ଭାରତୀୟ ଦଳ ମଙ୍ଗଳବାର ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ । ତେବେ ଏକମାତ୍ର ରୌପ୍ୟ ପଦକ ବିଜେତା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ସେମାନଙ୍କ ସହିତ ଆସିବେ ନାହିଁ । ନୀରଜ ପ୍ରାୟ ଏକ ମାସ ପରେ ଘରକୁ ଫେରିବେ । ଡାକ୍ତରୀ ପରାମର୍ଶ ପରେ ସେ ସିଧାସଳଖ ପ୍ୟାରିସରୁ ଜର୍ମାନୀ ଯାଇଛନ୍ତି ।

You might also like