ଆଜି ଠାରୁ ତିନି ଦିନିଆ ଜର୍ମାନୀ ଓ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଦୁଇ ଦିନିଆ ଜି-୭ ସମ୍ମିଳନୀରେ ନେବେ ଭାଗ

ନୂଆଦିଲ୍ଲୀ : ୩ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଜର୍ମାନୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜର୍ମାନୀର ମ୍ୟୁନିକ୍‌ ସହରରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା। ମୋଦି ମୋଦି ନାରାରେ କମ୍ପିଥିଲା । ସେଠାରେ ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱତନ୍ତ୍ର ଅତିଥି ଭାବେ ଜି-୭ ବୈଠକରେ ଯୋଗ ଦେବେ ।

ଚଳିତ ଥର ଜି-୭ ଶିଖର ସମ୍ମିଳନୀର ଆୟୋଜନ ଜର୍ମାନୀରେ ହୋଇଛି । ସମ୍ମିଳନୀର ଦୁଇଟି ଅଧିବେଶନକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିବେ । ଏଥିରେ ଜଳବାୟୁ, ଉର୍ଜା, ପରିବେଶ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ସମାନତା ପରି ବିଷୟରେ ଆଲୋଚନା ହେବ । ଆଜି ଓ କାଲି ୨ଦିନ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାକୁ ଏକ ପ୍ରୟାସରେ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଏବଂ ଦକ୍ଷିଣ ଆଫ୍ରିକା ଭଳି ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ମାନେ ମଧ୍ୟ ସାମିଲ ହେବେ। ହେବାକୁ ଥିବା ଶିଖର ସମ୍ମିଳନୀପରେ ପ୍ରଧାନମନ୍ତ୍ରୀ କିଛି ଅଂଶଗ୍ରହଣକାରୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଶେଷ ଥର ପାଇଁ ଭାରତ-ଜର୍ମାନୀ ଆନ୍ତଃସରକାରୀ ପରାମର୍ଶ (ଆଇଜିସି) ଷଷ୍ଠ ସଂସ୍କରଣରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ୨ ମେ ୨୦୨୨ରେ ଜର୍ମାନୀ ଗସ୍ତରେ ଯାଇଥିଲେ।

ସେହିପରି ଜି୭ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ୨୮ ଜୁନରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯିବେ। ସେଠାରେ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିଲ ଜାୟେଦ ଅଲ ନାହ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାବାଦ ପ୍ରଧାନମନ୍ତ୍ରୀ ୟୁଏଇର ନୂତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କୁ ଶୁଭେଚ୍ଛା ଜଣାଇବେ। ପ୍ରଧାନମନ୍ତ୍ରୀ ସେହି ଦିନ ଭାରତ ପ୍ରତ୍ୟାବର୍ତ୍ତନ କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.