ପ୍ରଧାନମନ୍ତ୍ରୀଙ୍କ ମହାକୁମ୍ଭ ଗସ୍ତ, ଆଜି ବୁଡ଼ ପକାଇବେ ମୋଦି

ଆଜି ମାଘ ଅଷ୍ଟମୀରେ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ । ସକାଳ ପ୍ରାୟ ୧୦ଟାରେ ମୋଦି ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ସେଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ଯିବେ । ସକାଳ ୧୦ଟା ୪୫ ମିନିଟରେ ମୋଦି ଅରେଲ ଘାଟରେ ପହଞ୍ଚିବେ । ଅରେଲ ଘାଟରେ ଡଙ୍ଗାରେ ବସି ମହାକୁମ୍ଭ ସଙ୍ଗମ ସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟା ବେଳେ ଗଙ୍ଗା, ଯମୁନା, ସରସ୍ବତୀ ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇବେ । ଏନେଇ ପିଏମଓ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମହାକୁମ୍ଭରେ ଦଳାଚକଟା ଅଘଟଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୋଦି ବୁଡ଼ ପକାଇବାକୁ ଯାଉଥିବା ବେଶ ଗୁରୁତ୍ବପୂର୍ଣ୍ଣ ।
ସେହିପରି ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସଙ୍ଗମରେ ବୁଡ଼ ପକାଇବା ପରେ ପିଏମ୍ ମୋଦି ୧୧ଟା ୪୫ରେ ଡଙ୍ଗାରେ ବସି ଅରେଲ ଘାଟ ଫେରିବେ । ଏଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ହୋଇ ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର ୧୨ଟା ୩୦ରେ ବାୟୁସେନାର ବିମାନ ଯୋଗେ ପ୍ରୟାଗରାଜରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
ଅନ୍ୟପଟେ ଗତକାଲି ଭୁଟାନ ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ ମଧ୍ୟ ତ୍ରିବେଣୀ ସଙ୍ଗମରେ ପହଞ୍ଚି ପବିତ୍ର ସ୍ନାନ କରିଛନ୍ତି । ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ବେଳେ ତାଙ୍କ ସହିତ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୁଟାନ ରାଜା ଅରେଲ ଘାଟରେ ଆସ୍ଥାର ବୁଡ଼ ପକାଇଛନ୍ତି । ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକଙ୍କ ଫଟୋଗୁଡ଼ିକୁ ସିଏମ୍ ଯୋଗୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଗତକାଲି ସକାଳ ୧୦ଟାରେ ଭୁଟାନ ରାଜା ସ୍ୱତନ୍ତ୍ର ବିମାନ ଯୋଗେ ବମରୌଲି ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରୁ ସେ ହେଲିକପ୍ଟର ଯୋଗେ ଅରେଲ ଘାଟରେ ପହଞ୍ଚି ସ୍ନାନ କରିଥିଲେ । ତେବେ ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଏପର୍ଯ୍ୟନ୍ତ ୩୭କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି।
ଆହୁରି ପଢନ୍ତୁ : ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନ ରାଜା, ମୁଖ୍ୟମନ୍ତ୍ରୀ ଯୋଗୀ ସେୟାର କଲେ ଫଟୋ