ଫେବୃୟାରୀ ୫ରେ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି

ମହାକୁମ୍ଭରେ ପବିତ୍ର ସ୍ନାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ ମୋଦି ଆସନ୍ତାକାଲି ଫେବୃୟାରୀ ୫ରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ଯିବେ । ମୋଦି ସଙ୍ଗମ ସ୍ଥଳରେ ବୁଡ଼ ପକାଇବେ । ସକାଳ ପ୍ରାୟ ୧୦ଟାରେ ମୋଦି ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ । ସେଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ଯିବେ । ସକାଳ ୧୦ଟା ୪୫ ମିନିଟରେ ମୋଦି ଅରେଲ ଘାଟରେ ପହଞ୍ଚିବେ । ଅରେଲ ଘାଟରେ ଡଙ୍ଗାରେ ବସି ମହାକୁମ୍ଭ ସଙ୍ଗମ ସ୍ଥଳକୁ ଯିବେ ।

ସଙ୍ଗମ ସ୍ଥଳରେ ସକାଳ ୧୧ଟାରେ ପବିତ୍ର ସ୍ନାନ କରିବେ ପ୍ରଧାନମନ୍ତ୍ରୀ ମୋଦି । ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି ।

ସଙ୍ଗମରେ ବୁଡ଼ ପକାଇବା ପରେ ପିଏମ୍ ମୋଦି ୧୧ଟା ୪୫ରେ ଡଙ୍ଗାରେ ବସି ଅରେଲ ଘାଟ ଫେରିବେ । ଏଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ହୋଇ ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର ୧୨ଟା ୩୦ରେ ବାୟୁସେନାର ବିମାନ ଯୋଗେ ପ୍ରୟାଗରାଜରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭରେ ବୁଡ଼ ପକାଇଥିଲେ । ସଙ୍ଗମ ଘାଟରେ ବୁଡ଼ ପକାଇବା ପରେ ଶାହ ସାଧୁସନ୍ଥଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ।

ପ୍ରୟାଗରାଜରେ ପହଞ୍ଚିବା ପରେ ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ କ୍ୟାବିନେଟର ମନ୍ତ୍ରୀମାନେ ସ୍ୱାଗତ କରିଥିଲେ ।

ମହାକୁମ୍ଭକୁ ‘ସନାତନ ସଂସ୍କୃତିର ନିଆରା ପ୍ରତୀକ’ ବୋଲି କହି ଶାହ ନିଜ ଅଫିସିଆଲ୍ ‘X’ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଲେଖିଥିଲେ । ଏଥିରେ ସେ କହିଥିଲେ, ‘କୁମ୍ଭ ସନାତନ ଧର୍ମର ଜୀବନ ଦର୍ଶନକୁ ପ୍ରଦର୍ଶିତ କରିଥାଏ । ଏହା ସଦଭାବରେ ନିହିତ’ ।

ଏହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବି ସଙ୍ଗମରେ ବୁଡ଼ ପକାଇଥିଲେ । ସଙ୍ଗମରେ ବୁଡ଼ ପକାଇବା ପରେ ସେ ମେଳା ଅଞ୍ଚଳରେ ସ୍ଥାପିତ ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅଖିଳେଶ ୧୧ ଥର ବୁଡ଼ ପକାଇଥିବା କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ମହାକୁମ୍ଭରେ ବୁଡ଼ ପକାଇଲେ ଅମିତ ଶାହ, ପ୍ରୟାଗରାଜରେ ସାଧୁସନ୍ଥଙ୍କୁ ଭେଟିଲେ