ପ୍ରଧାନମନ୍ତ୍ରୀ ମୋଦି ଆଜି ଦେଖିବେ ବିକ୍ରାନ୍ତ ମେସିଙ୍କ ‘ଦ ସାବରମତି ରିପୋର୍ଟ’, ଅପରାହ୍ନରେ ସ୍କ୍ରିନିଂ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ଟାରେ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ଦେଖିବେ । ପିଏମ୍ ମୋଦି ପୂର୍ବରୁ ଏହି ଫିଲ୍ମକୁ ପ୍ରଶଂସା କରିସାରିଛନ୍ତି । ଏଥିରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଛନ୍ତି । ଗୁଜରାଟର ବହୁଚର୍ଚ୍ଚିତ ୨୦୦୨ ଗୋଧ୍ରା କାଣ୍ଡ ଉପରେ ଏହି ଫିଲ୍ମ ଆଧାରିତ । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବାଲଯୋଗୀ ଅଡିଟୋରିୟମରେ ଏହି ଫିଲ୍ମ ଦେଖିବେ ।
‘ଦ ସାବରମତି ରିପୋର୍ଟ’ ନଭେମ୍ବର ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫିଲ୍ମ ରିଲିଜ୍ ସମୟରେ ପିଏମ୍ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହାକୁ ପ୍ରଶଂସା କରିଥିଲେ । ସେ ନିଜ ପୋଷ୍ଟରେ କହିଥିଲେ ଯେ ‘ଏହା ଏକ ଭଲ କଥା । ଏବେ ସତ ସାମ୍ନାକୁ ଆସୁଛି ଏବଂ ଏମିତି ଯେ ସାଧାରଣ ଲୋକ ମଧ୍ୟ ଏହାକୁ ଦେଖିପାରିବେ । ଏକ ନକଲି କାହାଣୀ କେବଳ ଅଳ୍ପ ସମୟ ପାଇଁ ରହିଥାଏ । ଶେଷରେ ତଥ୍ୟଗୁଡ଼ିକ ହିଁ ସାମ୍ନାକୁ ଆସିଯାଏ’ ।
ଏକ ପୋଷ୍ଟ ରିଟ୍ୱିଟ୍ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଫିଲ୍ମର ପ୍ରଶଂସା କରିଥିଲେ । ଫିଲ୍ମକୁ ନେଇ ଜଣେ ସାମ୍ବାଦିକ ଏହି ପୋଷ୍ଟ କରିଥିଲେ । କେବଳ ପିଏମ୍ ମୋଦି ନୁହନ୍ତି, ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ‘ସାବରମତି ରିପୋର୍ଟ’କୁ ପ୍ରଶଂସା କରିଛନ୍ତି ।
ଏହି ଫିଲ୍ମକୁ କେତେକ ରାଜ୍ୟରେ ଟିକସମୁକ୍ତ କରାଯାଇଛି । ପ୍ରାୟ ୫୦ କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ବିକ୍ରାନ୍ତ ମେସିଙ୍କ ସହ ରିଦ୍ଧି ଡୋଗ୍ରା, ରାଶି ଖାନ୍ନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।
ସେପଟେ ଏହାରି ମଧ୍ୟରେ ଅଭିନେତା ବିକ୍ରାନ୍ତ ମେସି ଡିସେମ୍ବର ୧ରେ ଇଣ୍ଡଷ୍ଟ୍ରି ଛାଡ଼ିଥିବା ନେଇ ଘୋଷଣା କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ନମସ୍କାର, ଗତ କିଛି ବର୍ଷ ଭଲ ଥିଲା । ଆପଣଙ୍କ ସପୋର୍ଟ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । କିନ୍ତୁ ଏବେ ମୁଁ ଅନୁଭବ କରୁଛି ଯେ ଘରକୁ ଫେରିବାର ସମୟ ଆସିଛି । ଆଗାମୀ ୨୦୨୫ରେ ଆମେ ଶେଷ ଥର ପାଇଁ ଭେଟିବା । ଶେଷ ୨ ଫିଲ୍ମ ଏବଂ ଅନେକ ବର୍ଷର ସ୍ମୃତି । ପୁଣିଥରେ ଧନ୍ୟବାଦ, ସବୁକିଛି ପାଇଁ ମୁଁ ସବୁଦିନ ଋଣି’ । ବିକ୍ରାନ୍ତଙ୍କ ଏହି ଘୋଷଣା ଫ୍ୟାନ୍ସ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।