ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଂଚଳ ଗସ୍ତ କରି ସର୍ଭେ କରିବେ । ଆଶ୍ରୟ ସ୍ଥଳକୁ ଯାଇ ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରିବେ । ହସପିଟାଲରେ ପୀଡିତ ଥିବା ଆହତ ଏବଂ ପୀଡିତଙ୍କୁ ମଧ୍ୟ ଭେଟିବେ ।
ମୋଦି ସକାଳ ୧୧ରେ କୁନ୍ନରରେ ପହଂଚିବା ପରେ ଓ୍ଵାୟନାଡ ଭୂସ୍ଖଳନ ପ୍ରଭାବିତ ଅଂଚଳକୁ ବିମାନରେ ସର୍ଭେ କରିବେ । ଅପରାହ୍ନ ୧୨ଟା ୧୫ ମିନିଟରେ ମୋଦି ଲ୍ୟାଣ୍ଡସ୍ଲାଇଡ ପ୍ରଭାବିତ କ୍ଷେତ୍ରରେ ଯାଇ ପରିଦର୍ଶନ କରିବେ । ଏହାଛଡା ଆଶ୍ରୟ ସ୍ଥଳକୁ ଯାଇ ବୁଲି ଦେଖିବା ସହିତ ହସପିଟାଲ ମଧ୍ୟ ଯାଇ ପୀଡିତଙ୍କୁ ସାକ୍ଷାତ କରିବେ । ଏହାପରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂସ୍ଖଳନ ପ୍ରଭାବିତ ଓ୍ଵାୟନାଡ ଯିବା ପୂର୍ବରୁ କେରଳ ସରକାରଙ୍କ ଟିମ୍ ସହିତ ସାକ୍ଷାତ କରି କଥାବାର୍ତ୍ତା କରିବେ । କେରଳ ସରକାର ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୨୦୦୦ କୋଟି ଟଙ୍କା ସହାୟତା ରାଶି ଦାବି କରାଯାଇଥିଲା । କେରଳର ମନ୍ତ୍ରୀମଣ୍ଡଳୀ ଉପ ସମିତି ସହିତ ବୈଠକ ଏବଂ ବିଭିନ୍ନ କାର୍ଯ୍ୟ, ଆଶ୍ରୟ ସ୍ଥଳ, ଶବ ପରୀକ୍ଷଣ, ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରିବା, ଅନ୍ତିମ ସଂସ୍କାର, ଡିଏନଏ ନମୁନା ସଂଗ୍ରହ ଏବଂ ନିଖୋଜ ଲୋକଙ୍କ ବିବରଣୀ ଉପରେ ଚର୍ଚ୍ଚା କରାଯିବ ।
ସୂଚନାଯୋଗ୍ୟ, କେରଳର ୱାୟନାଡ ରେସକ୍ୟୁ ଅପରେସନ । ୪୦୦ ଟପିଲା ମୃତ୍ୟୁ ସଂଖ୍ୟା । ଆହୁରି ୧୦୦ ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି । ଯେତେ ଖୋଜିଲେ ସେତେ ମିଳୁଛି ମୃତଦେହ । କିନ୍ତୁ ଭୂସ୍ଖଳନ ଏତେ ଭୟଙ୍କର ହୋଇଛି ଯେ, ଉଦ୍ଧାର କାର୍ଯ୍ୟ ସରି ପାରୁ ନାହିଁ। ସବୁଠି ପହଞ୍ଚି ପାରୁ ନାହାନ୍ତି ଉଦ୍ଧାରକାରୀ । ବେଲି ବ୍ରିଜ ନିର୍ମାଣ କରି ଦୁର୍ଗମ ସ୍ଥାନରେ ପହଞ୍ଚୁଛି ସେନା । ଏପର୍ଯ୍ୟନ୍ତ ପ୍ରାୟ ସାଢେ ୯ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲାଣି । ୯୧ଟି ରିଲିଫ କ୍ୟାମ୍ପରେ ରଖାଯାଇଛି । ପଥର ଖଣ୍ଡ ତଳୁ ଜୀବନର ସନ୍ଧାନ ବି ଚାଲିଛି । ଏବେ ବି କେହି କେହି ଜୀବନ୍ତ ଉଦ୍ଧାର ହେଉଛନ୍ତି ।
ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା ଯେ ଏହି ଅପରେସନ୍ ସତର୍କତାର ସହିତ କରାଯାଇଥିଲା । ଉଦ୍ଧାର କାର୍ଯ୍ୟକୁ ସୁବିଧାଜନକ କରିବା ପାଇଁ ଲାଇଟ୍ ହେଲିକପ୍ଟର (ALH) ବ୍ୟବହୃତ ହୋଇଥିଲା । ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ହେତୁ ମାଟି ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇ ପାରିଥିଲା ।