ସିଙ୍ଗାପୁର ସଂସଦରେ ପିଏମ୍‌ ମୋଦିଙ୍କୁ ସ୍ୱାଗତ, ସେମିକଣ୍ଡକ୍ଟର ସମେତ ଅନେକ କ୍ଷେତ୍ରରେ ଚୁକ୍ତିନାମା ସ୍ୱାକ୍ଷରିତ

ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସିଙ୍ଗାପୁରରେ ପହଞ୍ଚିବା ପରେ ତାଙ୍କର ଭବ୍ୟ ସ୍ୱାଗତ ହୋଇଥିଲା । ଏହି ଗସ୍ତର ଦ୍ୱିତୀୟ ଦିନରେ ମଧ୍ୟ ସିଙ୍ଗାପୁର ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା ।

ଗସ୍ତର ଦ୍ୱିତୀୟ ଦିନ ଗୁରୁବାର ପିଏମ୍‌ ମୋଦି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି । ଏହି ସମୟରେ ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଜାତୀୟ ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହାପରେ ମୋଦି ସିଙ୍ଗାପୁରର ସଂସଦରେ ପହଞ୍ଚିଥିଲେ । ସେଠାରେ ଉଭୟ ନେତା ପରସ୍ପରର ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ସଦସ୍ୟମାନଙ୍କୁ ଭେଟିଥିଲେ । ଏହି ସମୟରେ ପିଏମ୍‌ ମୋଦି ଏବଂ ପିଏମ୍‌ ଲରେନ୍ସ ୱଙ୍ଗଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି, ଯେଉଁଥିରେ ସେମିକଣ୍ଡକ୍ଟରକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ରହିଛି ।

ଏହିପରି ଡିଜିଟାଲ୍ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଓ ଔଷଧ, ଶିକ୍ଷାଗତ ସହଯୋଗ ଏବଂ ଦକ୍ଷତା ବିକାଶ ଆଦି ଅନେକ କ୍ଷେତ୍ରରେ ମଧ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଭାରତ-ସିଙ୍ଗାପୁର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ପାର୍ଟନରସିପ୍‌କୁ ନେଇ ଏକ ଏମଓୟୁ ବି ସ୍ୱାକ୍ଷରିତ ହୋଇଛି । ଉଭୟ ଦେଶ ସେମିକଣ୍ଡକ୍ଟର କ୍ଲଷ୍ଟର ବିକାଶ, ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ଉପରେ ଫୋକସ୍‌ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.