ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଦୁଇ ଦିନିଆ କାଶ୍ମୀର ଗସ୍ତ, ଡାଲ୍ ହ୍ରଦ କୂଳରେ କରିବେ ଯୋଗ

ଆଜିଠାରୁ ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଜମ୍ମୁ-କାଶ୍ମୀର ଗସ୍ତ । ଖାସ୍ କଥା ହେଉଛି, ପିଏମ୍ ମୋଦି ଏଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବେ । ସେ ଶ୍ରୀନଗରର ଡାଲ୍ ହ୍ରଦ କୂଳରେ ଯୋଗ ଦିବସ ପାଳିବେ ।
ଯୋଗ ଦିବସ ପୂର୍ବରୁ ପିଏମ୍ ମୋଦି ଆଜି ସନ୍ଧ୍ୟା ୬ଟାରେ ଏକ ଯୁବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଶ୍ରୀନଗରର ଶେର୍-ଏ-କାଶ୍ମୀର ଅନ୍ତର୍ଜାତୀୟ ସେଣ୍ଟରରେ ଅନୁଷ୍ଠିତ ହେବ । କହି ରଖୁଛୁ, ନିକଟରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ କିଛି ଆତଙ୍କବାଦୀ ଘଟଣା ମଧ୍ୟ ଘଟିଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମଗ୍ର ଶ୍ରୀନଗରକୁ ରେଡ୍ ଜୋନ୍ ଘୋଷଣା କରାଯାଇଛି । ଶେର୍-ଏ-କାଶ୍ମୀର ଅନ୍ତର୍ଜାତୀୟ ସେଣ୍ଟର ଏବଂ ଡାଲ୍ ହ୍ରଦ ଚାରିପାଖରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଯାହାଦ୍ୱାରା ପକ୍ଷୀମାନେ ମଧ୍ୟ ଏହା ଉପରେ ଉଡ଼ିପାରିବେ ନାହିଁ ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତ ସମୟରେ ଜମ୍ମୁ-କାଶ୍ମୀରକୁ ୧୫୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉପହାର ଦେବେ । ସେ ଜୁନ୍ ୨୧ ସକାଳ ୬ଟା ୩୦ରେ ଶ୍ରୀନଗରରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ସ୍ୱୟଂ ଏବଂ ସମାଜ ପାଇଁ ଯୋଗ’ ।
ପିଏମ୍ଓ ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ଶ୍ରୀନଗରର ଶେର୍-ଏ-କାଶ୍ମୀର ଅନ୍ତର୍ଜାତୀୟ ସେଣ୍ଟରରେ ‘ଯୁବକ ସଶକ୍ତିକରଣ, ଜମ୍ମୁ-କାଶ୍ମୀରରେ ପରିବର୍ତ୍ତନ’ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେ ଏହି ସମୟରେ ୧୫୦୦ କୋଟିରୁ ଅଧିକ ମୂଲ୍ୟର ୮୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କରିବେ । ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସଡକ ଭିତ୍ତିଭୂମି, ଜଳ ଯୋଗାଣ ଯୋଜନା ଏବଂ ଉଚ୍ଚଶିକ୍ଷାର ଭିତ୍ତିଭୂମି ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସରକାରୀ ସେବାରେ ନିଯୁକ୍ତ ୨୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ମଧ୍ୟ ବଣ୍ଟନ କରିବେ ।