ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମରିସସ୍ ଏୟାରପୋର୍ଟରେ ଭବ୍ୟ ସ୍ବାଗତ, ରାଷ୍ଟ୍ରୀୟ ଦିବସ ସମାରୋହରେ ଯୋଗ ଦେବେ

ମରିସସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋର୍ଟ ଲୁଇସରେ ପହଞ୍ଚବା ପରେ ମୋଦିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏୟାରପୋର୍ଟରେ ତାଙ୍କୁ ସ୍ବାଗତ କରିଛନ୍ତି ମରିସସ୍ ପ୍ରଧାମନ୍ତ୍ରୀ ନବୀନ ରାମଗୋଲାମ । ମରିସସ୍ ଉପପ୍ରଧାନମନ୍ତ୍ରୀ, ମରିସସ୍ ପ୍ରଧାନ ବିଚାରପତି, ଲୋକସଭା ସାଂସଦ, ବିରୋଧୀ ଦଳ ନେତା, ବୈଦେଶିକ ମନ୍ତ୍ରୀ, କ୍ୟାବିନେଟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।
ମୋଦିଙ୍କୁ ଏୟାରପୋର୍ଟରେ ସାଂସଦ, ବିଧାୟକଙ୍କ ସମେତ ପ୍ରାୟ ୨୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ମୋଦିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଆସନ୍ତାକାଲି ମରିସସ୍ ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଦ୍ବୀପ ଦେଶର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ କଣ୍ଟିନଜେଣ୍ଟ ସାମିଲ ହେବ । ଆଜି ସଂଧ୍ୟାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ୍ ପହଞ୍ଚି ଟ୍ବିଟ୍ କରି କହିଛନ୍ତି, ମୁରିସସ୍ ପହଞ୍ଚିସାରିଛି । ମୁଁ ମୋର ପ୍ରିୟ ପ୍ରଧାନମନ୍ତ୍ରୀ ଡ. ନବୀନଚନ୍ଦ୍ର ରାମଗୁଲାମଙ୍କୁ ଧନ୍ୟବାଦ ଜଣାଉଛନ୍ତି, ସେ ଏଭଳି ସ୍ବାଗତ କରିଥିଲେ । ଭାରତ ଏବଂ ମରିସସ୍ ମଧ୍ୟରେ ସବୁବେଳେ ବନ୍ଧୁତା ଭଲ ରହିଛି ।
ମରିସସ୍ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଗର୍ବର ବିଷୟ । ମୋଦି ତାଙ୍କର ବ୍ୟସ୍ତ ବହୁଳ ସମୟ ଭିତରେ ଏଠାକୁ ଆସିଛନ୍ତି ଏହା ସବୁଠାରୁ ବଡ଼ କଥା । ଏହା ଆମ ପାଇଁ ଖୁସିର ବିଷୟ । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ରାଷ୍ଟ୍ରୀୟ ଦିବସ ସମାରୋହରେ ଭାରତର ଏକ ସୈନ୍ୟଦଳ, ନୌସେନାର ଏକ ଯୁଦ୍ଧଜାହାଜ ଓ ବାୟୁସେନାର ଆକାଶଗଙ୍ଗା ସ୍କାଇଡାଇଭିଂ ଟିମ୍ ସାମିଲ ହେବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତରେ ମରିସସ୍ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମଙ୍କ ସହିତ ମିଶି ସିଭିଲ୍ ସର୍ଭିସେସ୍ କଲେଜ୍ ଭବନର ଉଦଘାଟନ କରିବେ । ଏହି ବିଲ୍ଟିଂର ନିର୍ମାଣ ପାଇଁ ୪.୭୫ ମିଲିୟନ ଡଲାର ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପ ଜାପାନ ସହଭାଗିତାରେ ହୋଇଛି । ଏହା ସହିତ ଭିସି ମାଧ୍ୟମରେ ୨୦ଟି ପ୍ରକଳ୍ପ ଓ ଏରିଆ ହେଲ୍ଥ ସେଣ୍ଟର ଉଦଘାଟନ କରିବେ ।
ମୋଦିଙ୍କ ଏହି ଗସ୍ତ ଅବସରରେ ମରିସସ୍ ସହ ଭାରତର ପ୍ରତିରକ୍ଷା ଓ ଆର୍ଥିକ ସହଯୋଗ କ୍ଷେତ୍ରରେ କେତେକ ରାଜିନାମା ସ୍ୱାକ୍ଷର ହେବାର ସମ୍ଭାବନା ରହିଛି ।
Also Read : ଚାମ୍ପିଅନ୍ସ ଟ୍ରଫି ଜିତିଲା ଇଣ୍ଡିଆ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ