ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରିବାକୁ ଧମକ, ମୁମ୍ବାଇ ପୋଲିସକୁ ଆସିଲା କଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଧମକ ମିଳିଛି ।  ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଧମକପୂର୍ଣ୍ଣ କଲ୍‌ ଆସିଛି । ଜଣେ ବ୍ୟକ୍ତି ଫୋନ୍‌ କରି ମୋଦିଙ୍କୁ ଜୀବନରେ ମାରିଦେବାକୁ ଯୋଜନା ଚାଲିଥିବା କହିଛନ୍ତି । ଧମକପୂର୍ଣ୍ଣ କଲ୍ ମିଳିବା ପରେ ପୋଲିସ ଆଲର୍ଟ ମୋଡରେ ରହି ମାମଲା ଯାଞ୍ଚ ଆରମ୍ଭ କରିଛି ।

ସୂଚନା ମୁତାବକ, ବୁଧବାର ରାତି ୯ଟାରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏହି ଫୋନ୍‌ କଲ୍‌ ଆସିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍‌ କରିଥିବା ବ୍ୟକ୍ତି ଦାବି କରିଛନ୍ତି । ମୁମ୍ବାଇ ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । କିଏ ଧମକ ଦେଇଛି, ତାହା ଯାଞ୍ଚ କରୁଛି ପୋଲିସ ।

ତେବେ ପୋଲିସ କହିବା ମୁତାବକ, ଅଭିଯୁକ୍ତଙ୍କ ପରିଚୟ ମିଳିଛି । ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେସନରେ ମାମଲା ଦାୟର କରିଛି । ଧମକ ଦେଇଥିବା ଜଣେ ମହିଳା ବୋଲି ଜଣାପଡିଛି । ପୋଲିସ ଗିରଫ କରିବା ପାଇଁ ଯୋଜନା କରୁଛି । ତେବେ ମହିଳା ଜଣକ ମାନସିକ ଭାବେ ଅସ୍ଥିର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ବଲିଉଡ଼ ଅଭିନେତା ସଲମାନ ଖାନ୍‌ ଓ ଶାହରୁଖ ଖାନ୍‌ଙ୍କୁ ମଧ୍ୟ ଫୋନ୍‌ କଲରେ ହତ୍ୟା କରିବାକୁ ନେଇ ଧମକ ମିଳିଥିଲା । ଶାହରୁଖ ଖାନ୍‌ଙ୍କୁ ରାୟପୁରରୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା । ଏହାପରେ ପୋଲିସ ରାୟପୁର ଯାଇ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।

ସେହିପରି କିଛି ଦିନ ପୂର୍ବରୁ ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଅଭିନେତା ସଲମାନ ଖାନ୍‌ଙ୍କ ପାଇଁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା ।

You might also like