ମହାକୁମ୍ଭ ଦଳାଚକଟାରେ ଦୁଃଖ ପ୍ରକାଶ କଲେ ମୋଦି, ମୁଖ୍ୟମନ୍ତ୍ରୀଙ୍କ ସହିତ ଲଗାତାର ଯୋଗାଯୋଗରେ ରହିଛି

ପ୍ରୟାଗରାଜର ମହାକୁମ୍ଭରେ ମୌନୀ ଅମାବାସ୍ୟା ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ସ୍ନାନ କରିବାକୁ ପହଞ୍ଚିଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଦଳାଚକଟା ହେବା ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୌନୀ ଅମାବାସ୍ୟାରେ ପବିତ୍ର ବୁଡ଼ ପକାଇବା ପାଇଁ ହଜାର ହଜାର ଭକ୍ତ ତ୍ରିବେଣୀ ସଂଗମରେ ପ୍ରବେଶ କରିବା ସମୟରେ ଏହି ଅଘଟଣ ଘଟିଥିଲା । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦ । ନିଜର ପ୍ରିୟଜନଙ୍କୁ ହରାଇଥିବା ଭକ୍ତମାନଙ୍କ ପ୍ରତି ଗଭୀର ସମବେଦନା । ଏହାସହିତ ସମସ୍ତ ଆହତ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି । ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ଯଥାସମ୍ଭବ ସହାୟତା କରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଲଗାତାର କଥା ହେଉଛି ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କିଛି ଭକ୍ତ ବ୍ୟାରିକେଡ୍ ଡେଇଁ ପଡ଼ିଥିଲେ ଏବଂ ଏଥିଯୋଗୁଁ ସେମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିଲେ ଏବଂ ଦଳାଚକଟା ହୋଇଥିଲା । ତେବେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଶ୍ରଦ୍ଧାଳୁ ଯେଉଁ ଘାଟରେ ରହିଛନ୍ତି, ସେଠାରେ ସ୍ନାନ କରନ୍ତୁ । ସଙ୍ଗମ ନାକ ଆଡେ ଯିବାକୁ ଚେଷ୍ଟା କରନ୍ତୁ ନାହିଁ । ସମସ୍ତ ମେଳା ପ୍ରଶାସନକୁ ନିର୍ଦ୍ଦେଶ ପାଳନ କରିବା ପାଇଁ ଅପିଲ୍ କରିଛନ୍ତି । କୌଣସି ଗୁଜବ ଉପରେ ଧ୍ୟାନ ନ ଦେବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳାରେ ଦଳାଚକଟାରେ ୧୫ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ବୁଧବାର ମୌନୀ ଅମାବାସ୍ୟାରେ ଶାହି ସ୍ନାନ ହେବାର ଥିଲା । ବ୍ରହ୍ମ ମୁହୂର୍ତ୍ତରେ ଭକ୍ତ ଓ ଅଖାଡା ସଦସ୍ୟମାନେ ସ୍ନାନ ପାଇଁ ଯିବା ସମୟରେ ଦଳାଚକଟା ହୋଇଥିଲା । ଅମୃତ ସ୍ନାନ ପାଇଁ ସଙ୍ଗମ ସ୍ଥଳରେ ହଠାତ୍ ଗହଳି ବଢ଼ିଯାଇଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଳା ପଡ଼ିଆରେ ଥିବା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Also Read : ମହାକୁମ୍ଭରୁ ଶ୍ରଦ୍ଧାଳୁ ଫେରିବା ପାଇଁ ୩୬୦ରୁ ଅଧିକ ଟ୍ରେନ ଚଲାଇବ ରେଲୱେ, ୧୦ଟା ସୁଦ୍ଧା ୩.୫ କୋଟି କଲେ ସ୍ନାନ