ସୁରକ୍ଷିତ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ। ପୁଣି ଥରେ ମୋଦିଙ୍କୁ ହତ୍ୟା ଧମକ । ଏକ ୫୦୦ ଟଙ୍କିଆ ନୋଟ୍ ଉପରେ ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି । ନୋଟରେ ଏହି ହତ୍ୟା ଧମକ ମାଲାୟଲାମ୍ ଭାଷାରେ ଲେଖାଯାଇଛି । ଯାହା ପରେ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି ।
ଖବରଅନୁସାରେ, କେରଳର ତ୍ରିଶୁରରେ ଥିବା ଗୁରୁବାୟୁର ମନ୍ଦିରର କାର୍ଯ୍ୟାଳୟକୁ ଏକ ସନ୍ଦିଗ୍ଧ ଚିଠି ଆସିଥିଲା । ଲଫାଫା ମଧ୍ୟରେ ଥିଲା ଗୋଟିଏ ୫୦୦ ଟଙ୍କିଆ ନୋଟ୍ । ଯେଉଁଥିରେ ମାଲାୟାଲାମ୍ ଭାଷାରେ ପିଏମ୍ ମୋଦିଙ୍କୁ ମାରିଦିଆଯିବ, ତାଙ୍କ ଗଳା କାଟିଦିଆଯିବ ବୋଲି ଲେଖାଯାଇଥିଲା । ସୂଚନାଯୋଗ୍ୟ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଉକ୍ତ ମନ୍ଦିର ଦର୍ଶନରେ ଯାଇଥିଲେ ମୋଦି।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷାବ୍ୟସ୍ଥା କଡ଼ାକଡ଼ି କରି ଦିଆଯାଇଛି। ଏହା ସହ କିଏ ଏହି ଚିଠି ପଠାଇଛି ତାହାର ଛାନଭିନ୍ ଆରମ୍ଭ ହୋଇଛି।
ଏହା ପୂର୍ବରୁ ମଧ୍ୟ ଅନେକ ଥର ମୋଦିଙ୍କୁ ହତ୍ୟା ଧମକ ମିଳିଛି । ଲୋକସଭା ର୍ନିବାଚନ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ସହ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିଲା । ଏହି ପୋଷ୍ଟରେ ପାକିସ୍ତାନ ଜିନ୍ଦାବାଦ ନାରା ମଧ୍ୟ ଲଗାଯାଇଥିଲା । ଫେସବୁକରେ କରାଯାଇଥିବା ଏହି ପୋଷ୍ଟରେ ତାର କେହି କିଛି କରିପାରିବେ ନାହିଁ ବୋଲି ଚ୍ୟାଲେଞ୍ଜ ମଧ୍ୟ ଦିଆଯାଇଥିଲା ।