ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କଲେ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ, ନିର୍ମାଣ ହେବ ୪୦ C-295 ମିଲିଟାରୀ ପ୍ଲେନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଭଦୋଦରାରେ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ ଉଦଘାଟନ କରିଛନ୍ତି । ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ (TASL)ର ଏହି ଉତ୍ପାଦନ ସୁବିଧାରେ C-295 ମିଲିଟାରୀ ପ୍ଲେନ୍ ନିର୍ମାଣ କରାଯିବ । ଏହି ପ୍ଲାଣ୍ଟ ହେଉଛି ମିଲିଟାରୀ ଏୟାରକ୍ରାଫ୍ଟ ପାଇଁ ଭାରତର ପ୍ରଥମ ପ୍ରାଇଭେଟ୍ ସେକ୍ଟରର ଫାଇନାଲ ଆସେମ୍ବ୍ଲି ଲାଇନ୍ (FAL) । ଏହା ଦେଶର ପ୍ରତିରକ୍ଷା ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

ଆଜି କେବଳ ଭାରତ ପାଇଁ ନୁହେଁ, ବରଂ ଟାଟା ଗ୍ରୁପ୍ ପାଇଁ ମଧ୍ୟ ଏକ ଐତିହାସିକ ଦିନ । କହି ରଖୁଛୁ, C-295 ମିଲିଟାରୀ ପ୍ଲେନ ନିର୍ମାଣ ପାଇଁ ଭାରତ ଏବଂ ସ୍ପେନ୍ ମଧ୍ୟରେ ୨୦୨୧ରେ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ C-295 ଟ୍ରାନ୍ସପୋର୍ଟ ପ୍ଲେନ୍ ନିର୍ମାଣ କରାଯିବ । ଏହାପରେ ଏୟାରବସ୍ କମ୍ପାନୀ ଭାରତୀୟ ବାୟୁସେନା (IAF)କୁ ୫୬ଟି C-295 ଏୟାରକ୍ରାଫ୍ଟ ସପ୍ଲାଏ କରିବ । ଏଥିରେ ୧୬ଟି ଏୟାରକ୍ରାଫ୍ଟ ସ୍ପେନରୁ ଆସିବ, ସେଥି ମଧ୍ୟରୁ ୬ଟି ଆଗରୁ ଆସିସାରିଥିବା ବେଳେ ୪୦ଟି ଭଦୋଦରା କମ୍ପ୍ଲେକ୍ସରେ ତିଆରି କରାଯିବ । ତେବେ ଏହି ପ୍ରୋଜେକ୍ଟ ଦ୍ୱାରା ଭାରତର ପ୍ରତିରକ୍ଷା ଇଣ୍ଡଷ୍ଟ୍ରୀକୁ ବଡ଼ ଫାଇଦା ମିଳିବ ।

ଫାଇନାଲ ଆସେମ୍ବ୍ଲି ଲାଇନ୍ ଜରିଆରେ ଭାରତରେ ପ୍ରଥମ ଥର ସୈନ୍ୟ ବିମାନ ତିଆରି କରାଯାଉଛି । ପ୍ରକୃତରେ, FAL ହେଉଛି ଉତ୍ପାଦନର ଏକ ପ୍ରୋସେସ୍ । ଏଥିରେ ଅଧା ତିଆରି ପ୍ରଡକ୍ଟକୁ ଗୋଟିଏ ୱାର୍କଷ୍ଟେସନରୁ ଅନ୍ୟ ୱାର୍କଷ୍ଟେସନକୁ ନିଆଯାଏ ଏବଂ ଏହାପରେ ଶେଷ ପ୍ରଡକ୍ଟ ପ୍ରସ୍ତୁତ ହୁଏ ।

ଏହି ପ୍ରୋଜେକ୍ଟରେ ଟାଟା ବ୍ୟତୀତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍, ଭାରତ ଡାଏନେମିକ୍ସ ଲିମିଟେଡ୍ ସହ ଡିଫେନ୍ସ ସେକ୍ଟରର ସରକାରୀ ଏବଂ ବେସରକାରୀ ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମଧ୍ୟ ଯୋଗଦାନ ଦେବ । ଏୟାରକ୍ରାଫ୍ଟ ଫାଇନାଲ ଆସେମ୍ବ୍ଲି ଲାଇନ୍ ଛଡ଼ା ପରୀକ୍ଷଣ ପାଇଁ ମଧ୍ୟ ଜରୁରୀ ଜିନିଷ ବିକଶିତ କରାଯିବ । ଭଦୋଦରାର TASLକୁ ହାଇଟେକ୍ ଏୟାରକ୍ରାଫ୍ଟ ନିର୍ମାଣ କେନ୍ଦ୍ର ରୂପେ ଡିଜାଇନ୍ କରାଯାଇଛି, ଯାହାକି ପରିବେଶ ଅନୁକୂଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like