ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷ ଗସ୍ତ, ଯିବା ପୂର୍ବରୁ ଦେଲେ ଏଭଳି ବାର୍ତ୍ତା

ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀରୁ ରୁଷ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଓ ଆସନ୍ତାକାଲି ରୁଷ କାଜାନ ଠାରେ ଆୟୋଜିତ ହେଉଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ରୁଷ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ବ୍ରାଜିଲ, ଚୀନ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେବେ । ଏହାସହିତ ବୈଠକରେ ଇରାନ, ୟୁଏଇ, ଇଥିଓପିଆ ଓ ଇଜିପ୍ଟର ପ୍ରତିନିଧିମାନେ ମଧ୍ୟ ଯୋଗ ଦେବେ ।

ତେବେ ରୁଷ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବା ପାଇଁ ରୁଷର କଜାନ ଯାଉଛି । ଭାରତ ବ୍ରିକ୍ସ ପାଇଁ ବହୁତ ମହତ୍ତ୍ୱ ଦେଇଥାଏ । ସେଠାରେ ବ୍ୟାପକ ଚର୍ଚ୍ଚାକୁ ନେଇ ବହୁତ ଉତ୍ସାହିତ ରହିଛି । ସେଠାରେ ବିଭିନ୍ନ ନେତାଙ୍କ ସହିତ ସାକ୍ଷାତ କରିବାକୁ ନେଇ ବହୁତ ଉତ୍ସାହିତ ରହିଛି ।

ନୂଆ ଅର୍ଥନୈତିକ ସହଯୋଗ, ପରିବେଶ ପରିବର୍ତ୍ତନ ଏବଂ ଆନ୍ତର୍ଜାତିକ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମ୍ମିଳନୀରେ ଆଲୋଚନା ହେବ । ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀର ବେଶ ଗୁରୁତ୍ୱ ରହିଛି । କୂଟନୀତି ଓ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଭାରତ ଗୁରୁତ୍ୱ ଦେଇ ଆସୁଥିବା ବେଳେ ସମ୍ମିଳନୀ ଏ ସମ୍ପର୍କରେ ଆଲୋଚନାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like