ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ବାନ୍ଧିଲେ, ନିଜେ ଢୋଲ ବଜାଇ ଭାରତୀୟଙ୍କ ଜୋଶ୍ ବଢ଼ାଇଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ପରେ ସିଙ୍ଗାପୁରରେ ପହଞ୍ଚିଛନ୍ତି । ପିଏମ୍ ମୋଦି ୬ ବର୍ଷ ପରେ ସିଙ୍ଗାପୁର ଗସ୍ତ କରିଛନ୍ତି । ମୋଦିଙ୍କର ସିଙ୍ଗାପୁର ଗସ୍ତ ଭାରତର ଆକ୍ଟ ଇଷ୍ଟ ପଲିସି ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାପୂର୍ବରୁ ମୋଦି ବ୍ରୁନେଇ ପ୍ରଧାନମନ୍ତ୍ରୀ ତଥା ସୁଲତାନ ହାଜି ହସନଲ ବୋଲକିଆଙ୍କୁ ଭେଟିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ସିଙ୍ଗାପୁର ହୋଟେଲରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭାରତୀୟ ସମ୍ପ୍ରଦାୟର ଲୋକମାନେ ସ୍ୱାଗତ କରିଥିଲେ । ଏହାପରେ ମୋଦି ଲୋକଙ୍କୁ ଅଟୋଗ୍ରାଫ୍ ଦେଇଥିଲେ । ଭାରତୀୟ ମୂଳ ମହିଳାମାନେ ମୋଦିଙ୍କ ହାତରେ ରାଖୀ ବାନ୍ଧିଥିଲେ । ମୋଦିଙ୍କୁ ଭେଟିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ପିଏମ୍ ନିଜେ ଢୋଲ ବଜାଇ ଭାରତୀୟ ସମ୍ପ୍ରଦାୟ ଲୋକଙ୍କର ଜୋଶ୍ ବଢାଇଥିଲେ ।
ASEAN ଦେଶ ମଧ୍ୟରେ ସିଙ୍ଗାପୁର ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟ ପାର୍ଟନର । ପ୍ରଧାନମନ୍ତ୍ରୀ ନିଜର ଗସ୍ତ ସମୟରେ ବିଜନେସ୍ ଲିଡର୍ସ ଏବଂ ଅନେକ ବଡ଼ କମ୍ପାନୀର ସିଇଓଙ୍କୁ ଭେଟିବେ । ଏହି ସମୟ ମଧ୍ୟରେ ଦକ୍ଷିଣ ଚୀନ୍ ସାଗର ଏବଂ ମିଆଁମାର ଭଳି ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।
କହି ରଖୁଛୁ, ପିଏମ୍ ମୋଦି ମଙ୍ଗଳବାର ବ୍ରୁନେଇ ଏବଂ ସିଙ୍ଗାପୁରକୁ ତାଙ୍କର ତିନି ଦିନିଆ ଯାତ୍ରା ଆରମ୍ଭ କରିଥିଲେ । ସେ ସୁଲତାନ ହସନଲ ବୋଲକିଆଙ୍କ ନିମନ୍ତ୍ରଣରେ ବ୍ରୁନେଇ ଯାଇଥିଲେ । ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏକି ବ୍ରୁନେଇ ଗସ୍ତ କରିଛନ୍ତି । ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୪୦ତମ ବର୍ଷ ପୂରଣ ହୋଇଛି ।