ସୁନୀତା ୱିଲିୟମ୍ସ ଫେରିବାକୁ ନେଇ ଖୁସି ହେଲେ ମୋଦି, ପୁରୁଣା ଫଟୋ ସେୟାର କରି ଲେଖିଲେ ଏମିତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ଟିମ ପୃଥିବୀକୁ ଫେରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ୯ ମାସ ମହାକାଶରେ ରହିବା ପରେ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଫେରିଛନ୍ତି । ତେବେ ମହାକାଶରୁ ଫେରିବା ପରେ ସୁନୀତା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ସାରା ଦୁନିଆ ଅଭିନନ୍ଦନ ଜଣାଇଛି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନୀତା ୱିଲିୟମ୍ସଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ, ଆପଣଙ୍କୁ ସ୍ୱାଗତ, # Crew9! ପୃଥିବୀ ତୁମକୁ ବହୁତ ମନେ ପକାଇଛି । ଏହା ସେମାନଙ୍କର ଧୈର୍ଯ୍ୟ, ସାହସ ଏବଂ ଅସୀମ ମାନବୀୟ ଭାବନାର ପରୀକ୍ଷା ।

ସୁନୀତା ୱିଲିୟମ୍ସ ଏବଂ #Crew9 ମହାକାଶଚାରୀ ପୁଣିଥରେ ଆମକୁ ଦେଖାଇଛନ୍ତି ସଂକଳ୍ପ ଏବଂ ଧୈର୍ଯ୍ୟର ପରିଭାଷା କ’ଣ । ସେମାନଙ୍କର ଅତୁଟ ଦୃଢତା ସଂକଳ୍ପ ସର୍ବଦା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିବ ।

ସୁନୀତା ୱିଲିୟମ୍ସ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ମହାକାଶଚାରୀ । ଏହା ତାଙ୍କର ୩ୟ ମହାକାଶ ଉଡ଼ାଣ ଥିଲା । ଏପର୍ଯ୍ୟନ୍ତ ସେ ମହାକାଶରେ ୬୦୮ ଦିନ ରହିଛନ୍ତି । ସୁନୀତାଙ୍କ ଜନ୍ମ ୧୯ ସେପ୍ଟମ୍ବର ୧୯୬୫ରେ ହୋଇଥିଲା । ତାଙ୍କ ବାପା ଦୀପକ ପାଣ୍ଡ୍ୟା ଗୁଜରାଟର ମେହସାଣ ଜିଲ୍ଲାର ବାସିନ୍ଦା । ସୁନୀତାଙ୍କୁ ୨୦୦୮ରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ସୁନୀତା ୱିଲିୟମ୍ସଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ତାଙ୍କୁ ଭାରତର ଝିଅ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ୯ ମାସ ହେଲା ISSରେ ଫସି ରହିଥିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ୱିଲ୍ ବୁଚ୍ ମୋର୍ । ୮ ଦିନ ପାଇଁ ଯାତ୍ରା କରିଥିଲେ, ମାତ୍ର ୯ ମାସ ରହିଲେଣି । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ମାସ ହେବ ଫସି ରହିଥିଲେ ସୁନିତା ଓ ତାଙ୍କ ସହଯୋଗୀ  ।  ତାଙ୍କୁ ଫେରାଇ ଆଣିବାକୁ ଶୁକ୍ରବାର ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ କ୍ରୁ-୧୦ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା କରିଥିଲା ।

Also Read : ସୁନୀତା ପୃଥିବୀକୁ ଫେରୁଥିବା ବେଳେ ଆସିଥିଲା ବଡ଼ ବିପଦ, କଳ୍ପନା ଚାୱଲାଙ୍କ ଫେରିବା ଭଳି ସ୍ଥିତି ଉପୁଜିଥିଲା