ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ତିନି ସେନାର ମୁଖ୍ୟ ଭାବରେ ଜଣଙ୍କୁ ମିଳିବ ନିଯୁକ୍ତି

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। ତିନି ସେନାର ମୁଖ୍ୟ ଭାବରେ ଜଣଙ୍କୁ ମିଳିବ ନିଯୁକ୍ତି। ତାଙ୍କୁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବା ସିଡିଏସ୍‌ କୁହାଯିବ। ସ୍ଥଳ, ନୌସେନା ଓ ବାୟୁସେନାର ସେ ମୁଖ୍ୟ ରହିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସେନାର ଶକ୍ତି ଓ ସେନାବାହିନୀର ବ୍ୟବସ୍ଥାରେ ସୁଧାର ଆଣିବାକୁ ଦୀର୍ଘ ଦିନରୁ ଚର୍ଚ୍ଚା ହୋଇ ଆସୁଛି। ତିନି ସେନା ଏକାଠି ହୋଇ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ଏଥିପାଇଁ ସରକାର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବା ସିଡିଏସ୍‌ ବ୍ୟବସ୍ଥା କରିବେ।

ସେହିପରି ପାନୀୟ ଜଳ ସଂକଟ ଦୂର କରିବାକୁ ବି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଘରେ ଘରେ କିଭଳି ପାନୀୟ ଜଳ ପହଞ୍ଚିବ, ସେଥିପାଇଁ ଗଠନ ହେବ ଜଳ ଜୀବନ ମିଶନ୍‌। ଉଭୟ କେନ୍ଦ୍ର ଓ ରାଜ୍ୟ ଏଦିଗରେ ମିଳିମିଶି କାମ କରିବେ। ଅକ୍ଟୋବର ୨ ଅର୍ଥାତ ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ସଂକଳ୍ପ ନେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଦୀପାବଳିରେ ଅନ୍ୟ ଉପହାର ଜାଗାରେ କପଡ଼ା ବ୍ୟାଗ ଉପହାର ଦେବାକୁ କହିଛନ୍ତି ମୋଦି।