ଗିରଫ ହେବେ ନିରବ ମୋଦି ? ଇଣ୍ଟର୍‌ ପୋଲ୍‌ ଜାରି କରିଛି ରେଡ୍‌ କର୍ଣ୍ଣର ନୋଟିସ୍‌

nirav modi

ନିରବ ଦୀପକ ମୋଦି, ୱାଣ୍ଟେଡ୍‌ ବାଏ ଜୁଡିସିଆଲ ଅଥରିଟିଜ୍‌ ଅଫ୍‌ ଇଣ୍ଡିଆ। ଇଣ୍ଟର୍‌ ପୋଲ୍‌ ଜାରି କରିଛି ରେଡ୍‌ କର୍ଣ୍ଣର ନୋଟିସ୍‌ । ୪୭ ବର୍ଷୀୟ ନିରବ ମୋଦିଙ୍କ ନାଁରେ ରହିଛି ମନି ଲଣ୍ଡରିଂ ଅଭିଯୋଗ । ଯଦି କାହା ପାଖରେ ସୂଚନା ଥିବ, ସେ ନିଜ ଦେଶର ପୋଲିସ କିମ୍ବା ଇଣ୍ଟର୍‌ପୋଲ୍‌ର ଜେନେରାଲ ସେକ୍ରେଟାରୀଙ୍କୁ ସୂଚନା ଦେଇପାରିବେ। ଇଣ୍ଟରନ୍ୟାସଲ କ୍ରିମିନାଲ ପୋଲିସ ଅର୍ଗାନାଇଜେସନ ଇଣ୍ଟରପୋଲ୍‌ ଜାରି କରିଛି ଏହି ନୋଟିସ।

ଗତମାସରେ ରେଡ୍‌ କର୍ଣ୍ଣର ନୋଟିସ ଲାଗି ସିବିଆଇ ଇଣ୍ଟର୍‌ପୋଲ୍‌କୁ ଅନୁରୋଧ କରିଥିଲା । ଇଣ୍ଟର୍‌ପୋଲ୍‌ରେ ବିଶ୍ୱର ୧୯୨ଟି ଦେଶ ସଦସ୍ୟ ଅଛନ୍ତି । ରେଡ୍‌ କର୍ଣ୍ଣର ନୋଟିସ ଦ୍ୱାରା ସଦସ୍ୟ ଦେଶର ପୋଲିସ୍‌କୁ ଆଲର୍ଟ କରାଯାଇଛି । ନିରବ ଯେ କୌଣସି ଦେଶରେ ଯେଉଁଠି ବି ଥାଆନ୍ତୁ, ସେହି ଦେଶର ପୋଲିସ ତାଙ୍କୁ ଠାବ କରି ଗିରଫ କରି ପାରିବେ । ଏହାସହ ନିୟମ ଅନୁଯାୟୀ ପ୍ରତ୍ୟର୍ପଣ ମଧ୍ୟ ହୋଇପାରିବେ ମୋଦି । ବେଶ୍‌ କିଛି ଦିନ ଧରି ଆଇନ୍‌କୁ ବେଖାତିର କରି ବିଦେଶ ବୁଲୁଥିବା ନିରବ ଏବେ ଜାଲରେ ଫସିବା ସମ୍ଭାବନା ସୃଷ୍ଟି ହୋଇଛି।

ପ୍ରାୟ ୧୪ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ସ୍କାମ୍‌ରେ ନିରବଙ୍କୁ ଖୋଜୁଛି ଭରତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ଜାଲ୍‌ କାଗଜପତ୍ର ଜରିଆରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଠକେଇ କରିଛନ୍ତି ନିରବ ମୋଦି ଓ ମେହୁଲ ଚୌକ୍‌ସୀ। ଘଟଣା ପଦାକୁ ଆସିବା ପୂର୍ବରୁ ଗତ ଜାନୁଆରୀ ମାସରେ ନିରବରେ ଦେଶରୁ ଚମ୍ପଟ ମାରିଛନ୍ତି । ଏବେ ଇଣ୍ଟର୍‌ପୋଲ୍‌ ସହାୟତାରେ ଜାଲ ବିଛାଇଛି ସିବିଆଇ। ଇଣ୍ଟରପୋଲ କିନ୍ତୁ ଆରେଷ୍ଟ ୱାରେଣ୍ଟ ଜାରି କରେନାହିଁ। ତେଣୁ ସଦସ୍ୟରାଷ୍ଟ୍ର ଅଭିଯୁକ୍ତକୁ ଗିରଫ କରିବାକୁ ବାଧ୍ୟ ନୁହଁ । ସେ ଦେଶ ନିଜେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.