ଯୁଦ୍ଧ ଭୟରେ ଥରହର ପାକ : ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ଦେଶବାସୀଙ୍କୁ କହିଲା ପାକିସ୍ତାନ ସରକାର

ଜମ୍ମୁ-କାଶ୍ମୀରର  ପହଲଗାମରେ  ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଅସନ୍ତୋଷ ଦେଖୁବାକୁ ମିଳିଛି ।  ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି ।  ସମଗ୍ର ଦେଶ ଏକମତ ଭାବରେ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ଏବେ ପାକ୍ ଅଧିକୃତ କାଶ୍ମୀର (POK)କୁ ଭାରତକୁ ଫେରାଇ ଆଣିବାର ସମୟ ଆସିଛି ।

ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା କଠୋର ନିଷ୍ପତ୍ତିକୁ ଦେଖି ପାକିସ୍ତାନ ଭୟଭୀତ ରହିଛି ।  ପ୍ରଥମେ ଭାରତ ପାଣି ,ଆକାଶ ଆଉ ଏବେ ଡିଜିଟାଲ ଷ୍ଟ୍ରାଇକ କରିଛି । ଯାହାକୁ ନେଇ ପାକିସ୍ତାନର ନିଦ ହଜି ଯାଇଛି । ଏହି ସମୟରେ କାଶ୍ମୀରରେ ସ୍ଥାନୀୟ ପ୍ରଶାସନ ସୀମା ନିକଟରେ ରହୁଥିବା ଲୋକମାନଙ୍କୁ ଦୁଇ ମାସ ପାଇଁ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ଅପିଲ୍ କରିଛି । ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱରୁଲ ହକ୍ ବିଧାନସଭାରେ କହିଛନ୍ତି ଯେ ୧୩ଟି ନିର୍ବାଚନମଣ୍ଡଳୀରେ ଦୁଇ ମାସ ପାଇଁ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଏହି ୧୩ଟି ନିର୍ବାଚନମଣ୍ଡଳୀରେ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତା ଯୋଗାଇବା ପାଇଁ ୧ ବିଲିୟନ ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ମଧ୍ୟ ସୃଷ୍ଟି କରାଯାଇଛି । ସେ କହିଛନ୍ତି ଯେ ନିୟନ୍ତ୍ରଣ ରେଖା ପାର୍ଶ୍ଵବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ସରକାରୀ ଏବଂ ବେସରକାରୀ ଯନ୍ତ୍ରପାତି ମଧ୍ୟ ନିୟୋଜିତ କରାଯାଉଛି ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ସମ୍ପ୍ରତି କହିଛନ୍ତି ଯେ ତାଙ୍କ ପାଖରେ ବିଶ୍ୱସ୍ତ ପ୍ରମାଣ ଅଛି ଯେ ଭାରତ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ଏହି ଭୟ ଯୋଗୁଁ, ପିଓକେରେ ପାକିସ୍ତାନ କର୍ତ୍ତୃପକ୍ଷ ଗତକାଲି ଗୁରୁବାର ୧୦ ଦିନ ପାଇଁ ୧୦୦୦ ରୁ ଅଧିକ ଧାର୍ମିକ ବିଦ୍ୟାଳୟ ବନ୍ଦ କରିଦେଇଛନ୍ତି  ।  ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ଏହି ଆକ୍ରମଣ ପରେ, ଭାରତ ଆତଙ୍କବାଦୀମାନଙ୍କୁ ଏବଂ ସେମାନଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବାକୁ ପ୍ରତିଜ୍ଞା କରିଛି ।

Also read: ପାକ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ୍ କଲା ଭାରତ