ନମାଜ ପରେ ହେଲା ବିବାଦ : ସୁରକ୍ଷାକର୍ମୀକୁ ଇଦରେ ପଥରମାଡ଼

ଶ୍ରୀନଗର(କେନ୍ଯୁଜ୍) :ଶ୍ରୀନଗରରେ ଆଜି ଇଦ୍-ଉଲ-ଜୁହା ପାଳନ ବେଳେ ହଠାତ୍ ସୁରକ୍ଷା କର୍ମୀ ଓ ଟେକା ପଥର ମାଡ କରୁଥିବା ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଶ୍ରୀନଗରର ଇଦ୍ଗାହା ଅଂଚଳରେ ପରିସ୍ଥିତି ଅଣାୟତ୍ତ ହେବାରୁ ସୁରକ୍ଷାକର୍ମୀଙ୍କୁ ଲୁହ ବୁହା ବାଷ୍ପ ବ୍ୟବହାର କରିବାକୁ ପଡିଛି। ଇଦ୍-ଉଲ-ଜୁହା ନମାଜ ପାଠ ପରେ ଶ୍ରୀନଗର ବ୍ୟତୀତ ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ, ସୋପର ଓ କୁପୱାଡ଼ାରେ ମଧ୍ୟ ସମାନ ପରସ୍ଥିତି ଦେଖିବାକୁ ମିଳିଛି। ଟେକା ପଥର ମାଡ କରୁଥିବା ଯୁବକମାନେ କେତେକ ସ୍ଥାନରେ ପୋଲିସ ଥାନା ଉପରକୁ ଆକ୍ରମଣ କରିଛନ୍ତି।
ଅନ୍ୟପଟେ ଇଦ୍ ନମାଜ ସାରି ନିଜ ଗାଁକୁ ଫେରୁଥିବା ବେଳେ ଜାମ୍ମୁ କାଶ୍ମୀରର ଜଣେ ପୋଲିସ କନେଷ୍ଟବଳଙ୍କୁ ଆତତାୟୀମାନେ ଗୁଳି କରି ହତ୍ୟା କରିଛନ୍ତି। ତେବେ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାରେ ନିଯୁକ୍ତିକୁ ବିରୋଧ କରି ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଉ ଥିବା ଅନୁମାନ କରାଯାଉଛି। ସେହିପରି ପୁଲୱାମା ଜିଲ୍ଲାରେ ଅପହରଣ ହୋଇଥିବା ବିଜେପି କର୍ମୀ ସବିର ଅହମଦ ଭଟ୍ଟଙ୍କ ମୃତ ଶରୀର ଆଜି ସକାଳେ ମିଳିଛି। ଆତଙ୍କବାଦୀମାନେ ତାଙ୍କୁ ଗତ ଗୁରୁବାର ଦିନ ଅପହରଣ କରି ନେବା ପରେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି।