ଗୁରୁଗ୍ରାମ ମଲ୍‌ ପରେ ଜୟପୁର ହସପିଟାଲକୁ ବୋମାରେ ଉଡାଇବାକୁ ଧମକ, ଆତଙ୍କିତ ଅବସ୍ଥାରେ ରୋଗୀ

ଜୟପୁରର ଦୁଇଟି ବଡ ହସପିଟାଲରେ ବୋମା ରହିଥିବା ସୂଚନା ମିଳିଛି । ଜୟପୁରରେ ଥିବା ସିକେ ବିରଲା ଏବଂ ମୋନିଲେକ ହସପିଟାଲରେ ବୋମା ଥିବା ସୂଚନା ମିଳିଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛି । ହସପିଟାଲରୁ ରୋଗୀଙ୍କୁ ବାହାର କରାଯାଇ ଯାଞ୍ଚ କରାଯାଉଛି ।

ଖବର ମୁତାବକ, ଦୁଇଟି ହସପିଟାଲରେ ବୋମା ସୂଚନା ମିଳିବା ପରେ ପୋଲିସ ଏବଂ ଡଗ ସ୍କ୍ଵାଡ ଘଟଣା ସ୍ଥଳରେ ଯାଞ୍ଚ କରୁଛି । ଦୁଇଟି ଯାକ ବଡ ହସପିଟାଲ ହୋଇଥିବା ବେଳେ ରୋଗୀ ସଂଖ୍ୟା ଧ୍ୟ ଅଧିକ । ହସପିଟାଲକୁ ଖାଲି କରାଯାଇ ପୋଲିସ ଯାଞ୍ଚ କରୁଛି ।

ତେବେ ଗତକିଛି ଦିନ ହେଲାଣି ଦେଶର ବିଭିନ୍ନ ରାଜ୍ୟର ଅନେକ ସ୍ଥାନରେ ବୋମା ଥିବା ଗୁଜବ ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ଏନସିଆର ସ୍କୁଲରେ ବୋମା ଥିବା ଗୁଜବ ଖବର ପ୍ରସାରିତ ହୋଇଥିଲା । ଏହାପରେ ମୁମ୍ବାଇରେ ବସରେ ବୋମା ଥିବା ଇମେଲ ମିଳିବା ପରେ ସୁରକ୍ଷା ଏଜେନ୍ସୀ ଯାଞ୍ଚ କରିଥିଲା । ଅନେକ ମଲରେ ଏବଂ ହସପିଟାଲରେ ବୋମା ଥିବା ଆତଙ୍କ ମିଳିଛି ।

ସୂଚନାଯୋଗ୍ୟ, ଗତକାଲି ହରିୟାଣା ଗୁରୁଗ୍ରାମର ଆମ୍ବିଆନ୍ସ ମଲ୍‌ ଏବଂ ଦିଲ୍ଲୀର ବିଭିନ୍ନ ମଲ୍‌ ଏବଂ ବିଲିଡିଂକୁ ବୋମାରେ ଉଡାଇବାକୁ ଇମେଲ ଦେଇଥିଲା ଅଜ୍ଞାତ ବ୍ୟକ୍ତି । ଡଗ୍‌ ସ୍କ୍ଵାର୍ଡ ଏବଂ ବୋମା ନିଷ୍କ୍ରୟକାରୀ ଦଳ ମଲରେ ଥିବା ବିଭିନ୍ନ ସ୍ଥାନ ଚେକ୍‌ କରୁଥିଲା । ପୂର୍ବରୁ ସ୍କୁଲ, କଲେଜ, ହସପିଟାଲ, ଆଇଜିଆଇ ଏୟାରପୋର୍ଟରେ ବୋମା ଥିବା ମିଛ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି ।

ଦକ୍ଷିଣ ଦିଲ୍ଲୀର କୈଳାଶ କଲୋନୀରେ ଥିବା ଏକ ସ୍କୁଲରେ ବୋମା ଧମକ ମିଳିଥିଲା । ଜଣେ ୧୪ ବର୍ଷୀୟ ନାବାଳକ ସ୍କୁଲ ଯିବାକୁ ଚାହୁଁନଥିଲା ବୋଲି ସ୍କୁଲ ମ୍ୟାନେଜମେଣ୍ଟକୁ ଏକ ଇମେଲ ପଠାଇଥିଲା । ଯେଉଁଥିରେ ସ୍କୁଲ ପରିସରରେ ବୋମା ଥିଲା ବୋଲି କୁହାଯାଇଥିଲା । ଏହାପରେ ସ୍କୁଲକୁ ୧୦ ମିନିଟରେ ଖାଲି କରିଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like