ବଲିଉଡର ବାଦଶାହା ଶାହରୁଖ ଖାନଙ୍କୁ ମାରିବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ । ମୁମ୍ବାଇ ପୋଲିସ ଧମକ ଦେଇଥିବା ବ୍ୟକ୍ତିକୁ ଛତିଶଗଡ ରାୟପୁରରେ ଗିରଫ କରି ପଚରାଉଚରା କରୁଛି । ମୁମ୍ବାଇ ପୋଲିସକୁ ପାଖକୁ ଆସିଥିବା ଧମକପୂର୍ଣ୍ଣ କଲରେ ଶାହରୁଖ ଖାନଙ୍କୁ ମାରିବା ପାଇଁ ଧମକ ମିଳିଥିଲା । ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧ ପତ୍ତା ଲାଗିଥିଲା ।
ଶାହରୁଖଙ୍କୁ ଧମକ ବିଷୟରେ ବାନ୍ଦ୍ରା ପୋଲିସକୁ ସୂଚନା ମିଳିଥିଲା । ନଭେମ୍ବର ୫ ତାରିଖରେ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଫୋନ ଆସିଥିଲା । ଧମକ ଦେଇଥିବା ବ୍ୟକ୍ତି ୫୦ ଲକ୍ଷ ଟଙ୍କା ଦାବି କରି ଶାହରୁଖଙ୍କ ମାରିବାକୁ ଧମକ ଦେଇଥିଲା । ତେବେ ପ୍ରାଥମିକ ତଦନ୍ତ ପୋଲିସ ଜାଣିବାକୁ ପାଇଥିଲା କି ଧମକ ଆସିଥିବା ନମ୍ବର ଫୈଜାନ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରେଜିଷ୍ଟର ହୋଇଛି । କିନ୍ତୁ ଫୈଜାନଙ୍କ ସହିତ କଥା ହେବା ପରେ ତାଙ୍କ ଫୋନ ୨ ଦିନ ପୂର୍ବରୁ ଚୋରି ହୋଇଥିବା ସୂଚନା ମିଳିଥିଲା । ଫୋନ ଚୋରି ହୋଇଥିବା ମଧ୍ୟ ଯୁବକ ରାୟପୁର ଥାନାରେ ରିପୋର୍ଟ ମଧ୍ୟ କରିଥିଲେ ।
ହତ୍ୟା ଧମକ ପରେ ଶାହରୁଖଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଏହାପରେ ଶାହରୁଖଙ୍କୁ ୱାଇ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଓ ‘ଜୱାନ’ର ସଫଳତା ପରେ ୨୦୨୩ ବେଳକୁ ତାଙ୍କୁ ଶେଷଥର ପାଇଁ ଏକ ହତ୍ୟା ଧମକ ମିଳିଥିଲା ।
ଗତକାଲି ମିଥୁନ ଚକ୍ରବର୍ତ୍ତୀଙ୍କୁ ହତ୍ୟା ଧମକ ମିଳିଥିଲା । ପାକିସ୍ତାନୀ ଡନ୍ ଶାହଜାଦ ଭଟ୍ଟି ଦୁବାଇରୁ ତାଙ୍କୁ ଧମକ ଦେଇଥିଲା । ସେ ଧମକ ଦେଇ କହିଥିଲା ଯେ ଯଦି ୧୫ ଦିନ ମଧ୍ୟରେ କ୍ଷମା ନ ମାଗନ୍ତି, ତେବେ ଏହାର ପରିଣାମ ଭୋଗିବାକୁ ପଡ଼ିବ । ଶାହଜାଦ ଭଟ୍ଟି ଦୁବାଇରୁ ଦୁଇଟି ଭିଡିଓ ଜାରି କରିଥିଲା । ଭଟ୍ଟି, ଲରେନ୍ସ ବିଷ୍ଣୋଇଙ୍କ ଘନିଷ୍ଠ । ଇଦ୍ ଅବସରରେ ସେ ବିଷ୍ଣୋଇଙ୍କୁ ଜେଲରେ ଭିଡିଓ କଲ୍ କରିଥିଲେ । ସେ ଏହା ମଧ୍ୟ ଦାବି କରିଛନ୍ତି କି, ସଲମାନ ଓ ଲରେନ୍ସଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ସେ ଚେଷ୍ଟା କରିଥିଲେ ।