ଚୋର ବାହାଘରରେ ପୋଲିସ ବରଯାତ୍ରୀ, ବିବାହ ସରୁ ସରୁ ଗିରଫ କଲା ପୋଲିସ

ବରଯାତ୍ରୀ ସାଜି ଲୁଟୁଥିଲେ । ବର ବେଶରେ ଗିରଫ ହେଲେ । ୪ ଚୋରଙ୍କ ପାଇଁ ୧୫୩ ପୋଲିସ ସାଜିଲେ ବରଯାତ୍ରୀ । ବାହା ବେଦୀରୁ ଉଠାଇ ଆଣିଲା ଏମପି ପୋଲିସ । ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା କଡ଼ିଆ ଗାଁରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ପୂରା ଦେଶରେ ଆତଙ୍କ ରଚାଇଥିବା ୪ଚୋରଙ୍କୁ ଧରିବାକୁ ପୋଲିସ ଅଭିନବ ପ୍ରୟାସ ଏବେ ଚର୍ଚ୍ଚାରେ।
ସୂଚନା ମୂତାବକ, ମଧ୍ୟପ୍ରଦେଶର କଡ଼ିଆ ଗାଁରେ ବିବାହ ଋତୁ ଚାଲିଥିବା ବେଳେ ଏହି ୪ କୁଖ୍ୟାତ ଚୋରଙ୍କୁ ଧରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆଖପାଖର ୧୭ ଟି ଥାନାରୁ ମୋଟ ୧୫୩ ଜଣ ପୋଲିସ କର୍ମଚାରୀଙ୍କୁ ଏହି ୪ଚୋରଙ୍କୁ ଧରିବାକୁ ନିୟୋଜିତ କରାଯାଇଥିଲା ।
ଗାଁରେ ଏକ ଅସ୍ଥାୟୀ ପୋଲିସ ଟେଣ୍ଟ କରାଯାଇ ମୋବାଇଲ ଶୌଚାଳୟ ସହ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିଲା । ଏହା ସହ ଲୋକଙ୍କୁ ସତର୍କ କରାଇବା ଏବଂ ପୋଲିସକୁ ସହାୟତା କରିବାକୁ ଗାଁରେ ଚୋରଙ୍କ ପୋଷ୍ଟର ଲଗାଇଥିଲା ପୋଲିସ । କିଛି ପୋଲିସ କର୍ମଚାରୀଙ୍କୁ ସୁରକ୍ଷାରେ ନିୟୋଜିତ କରାଯାଇ ଅନ୍ୟମାନଙ୍କୁ ବରଯାତ୍ରୀ ବେଶରେ ଚୋରଙ୍କ ବାହାଘରକୁ ପଠାଯାଇଥିଲା । ୭ ଫେରା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ପୋଲିସ । ଚୋରଙ୍କ ବାହାଘର ସରିବା ମାତ୍ରେ ଚୋରଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ ।
ଏହି ଚୋରମାନଙ୍କ ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ବଡ଼ ବଡ଼ ଚୋରି ଓ ଡକାୟତି ଭଳି ବିଭିନ୍ନ ମାମଲା ରହିଛି। ଏମାନେ ହାଇପ୍ରୋଫାଇଲ ବାହାଘରରେ ବରଯାତ୍ରୀ ସାଜି ଡକାୟତି କରୁଥିଲେ । ଅନ୍ୟ ଫେରାର ଅଭିଯୁକ୍ତଙ୍କ ତଲାସି ଜାରି ରଖିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
Also Read : ଭାଇରଲ ହୋଇଯାଇଥିଲେ ବୋଲି ଫେରିଆସିଲେ ଶାଶୁ ଜ୍ୱାଇଁ, ଥାନାରେ କଲେ ଆତ୍ମସମର୍ପଣ