ଦିଲ୍ଲୀରେ ଏକ ଭୟଙ୍କର ଦୁର୍ଘଟଣାରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିିଛି । ଏଠାରେ ଏକ ଦ୍ରୁତଗାମୀ କାର୍ କନଷ୍ଟେବଳଙ୍କ ଉପରେ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । କନଷ୍ଟେବଳ ଜଣକ ଡ୍ୟୁଟିରେ ଥିବା ବେଳେ ଏକ କାର୍ ତାଙ୍କୁ ଜୋର୍ରେ ଧକ୍କା ଦେଇଥିଲା ।
ମିଳିଥିବା ସୂଚନା ଅନୁସାରେ, ମୃତ କନଷ୍ଟେବଳ ସନ୍ଦୀପ ୨୦୧୮ ବ୍ୟାଚ୍ର ଥିଲେ । ଅଞ୍ଚଳରେ ବଢ଼ୁଥିବା ଚୋରି ଘଟଣା ଉପରେ ନଜର ରଖିବା ପାଇଁ କନଷ୍ଟେବଳ ସିଭିଲ୍ ପୋଷାକ ପିନ୍ଧି ଡ୍ୟୁଟି କରୁଥିଲେ ଏବଂ ସେ ନାଙ୍ଗଲୋଇ ଥାନାରୁ ରେଲୱେ ରୋଡ୍ ଆଡ଼କୁ ଯାଉଥିଲେ ।
ଏହି ସମୟରେ ଜଣେ ଚାଳକ ବେପରୁଆ ଭାବରେ କାର୍ ଚଲାଇ ଯାଉଥିଲେ । ତାଙ୍କୁ ଦେଖି କନଷ୍ଟେବଳ ଏଭଳି ଢଙ୍ଗରେ ଗାଡ଼ି ନ ଚଲାଇବାକୁ କଠୋର ଭାବରେ କହିଥିଲେ । ହେଲେ ଏହାପରେ କାର୍ର ଗତି ହଠାତ୍ ବଢ଼ିଯାଇଥିଲା ଏବଂ ଏହା ପଛପଟୁ ଆସି ସନ୍ଦୀପଙ୍କୁ ଧକ୍କା ଦେଇଥିଲା । ଏହାପରେ ତାଙ୍କୁ ୧୦ ମିଟର ଯାଏ ଘୋଷାଡ଼ି ନେଇଯାଇଥିଲା । ଏପରିକି, କାର୍ଟି ଅନ୍ୟ ଏକ ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିଲା ।
ଏହି ଦୁର୍ଘଟଣା ପରେ ସନ୍ଦୀପଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲ ନିଆଯାଇଥିଲା । ପରେ ପଶ୍ଚିମ ବିହାରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସିସିିଟିଭି ଫୁଟେଜ୍ ଅନୁସାରେ, ସନ୍ଦୀପ ଏକ ଗଳିରେ ବାମ ଆଡ଼କୁ ମୋଡୁଥିଲେ ଏବଂ କାର୍କୁ ଧୀରେ ଚଲାଇବାକୁ ସଙ୍କେତ ଦେଇଥିଲେ । କିନ୍ତୁ କାର୍ଟି ଦ୍ରୁତ ଗତିରେ ଆସି ବାଇକ୍କୁ ଧକ୍କା ଦେଇଥିଲା ଏବଂ ମୃତକଙ୍କ ସହ ବାଇକ୍କୁ ପାଖାପାଖି ୧୦ ମିଟର ଯାଏ ଘୋଷାଡ଼ି ନେଇଥିଲା ।
ଏହି କାର୍ ସେଠାରେ ପାର୍କିଙ୍ଗ ହୋଇଥିବା ଅନ୍ୟ ଏକ କାର୍କୁ ମଧ୍ୟ ଧକ୍କା ଦେଇଥିଲା । ସନ୍ଦୀପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା ।